• translate
Sarbeswar

ଭୁବନେଶ୍ୱର: ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ବାଲି ଝଡ଼। ରାଜ୍ୟରେ ବାଲିର ଚୋରା ଚାଲାଣ ରୋକିବାକୁ କୌଣସି ସ୍ୱତନ୍ତ୍ର ନୀତି ନଥିବାରୁ ବାଚସ୍ପତିଙ୍କଠୁ ବିରୋଧୀଙ୍କ ଯାଏଁ ସମସ୍ତେ କ୍ଷୁବ୍ଧ। ଏମିିତିକି ରାଜ୍ୟ ସରକର ଏ ବାବଦରେ ୫ ହଜାର କୋଟିର ରାଜସ୍ୱ ହରାଉଥିବା ମଧ୍ୟ ବିରୋଧୀ କହିଛନ୍ତି। ସେପଟେ ରାଜମନ୍ତ୍ରୀ କହିଛନ୍ତି-ଖୁବଶୀଘ୍ର ଏ ନେଇ ସ୍ୱତନ୍ତ୍ର ନୀତି ଆସିବ। ଏଣେ ଲଗାମ ନଥିବାରୁ ମାଫିଆ କିଭଳି ସୁବର୍ଣ୍ଣରେଖା ନଦୀରୁ ବେଧଡ଼କ ଚଲାଇଛନ୍ତି ବାଲି ଚୋରା ଚାଲାଣ ତାହାକୁ ନେଇ ବି ଏବେ ଚର୍ଚ୍ଚା ଚାଲିଛି।

ମାଫିଆଙ୍କ ଲୋଲୁପ ନଜରରେ ଏବେ ସୁବର୍ଣ୍ଣରେଖାର ସୁନା ବାଲି ରହିଛି। ରାତି ଦିନ ବେଧଡ଼କ ଚାଲିଛି ବାଲି ଉଠାଣ ସାଙ୍ଗକୁ ଚାଲାଣ। ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଡଙ୍ଗା, ଟ୍ରାକ୍ଟର ଓ ଟ୍ରକରେ ବୁହା ଚାଲିଛି ବାଲି। ଜଳେଶ୍ୱର ମହମ୍ମଦନଗରପାଟଣା ନଦୀ ପଠାରୁ ସେକ୍ସରାଇ ଓ ମାଡିକିଆ ଯାଏଁ ମାଡ଼ି ଗଲେଣି ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ବାଲି ମାଫିଆ। ସ୍ଥାନୀୟ ଲୋକେ ଅତିଷ୍ଠ, ହେଲେ ପାଟି ଖୋଲିଲେ ମିଳୁଛି ଧମକ।

ଏଣେ ମନଇଚ୍ଛା ବାଲି ଉତ୍ତୋଳନ ଯୋଗୁଁ ନଦୀ ପ୍ରତି ସମସ୍ୟା ଶଙ୍କାରେ। ୨୦୧୮ ମସିହାରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ବା NGTର ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ଲୋକେ। ମାମଲାର ଗୁରୁତ୍ୱକୁ ବୁଝି ଟ୍ରିବୁନାଲ୍ ମଧ୍ୟ ମାଡ଼ିକିଆ, କୁଅଁରପୁର, ସେକସରାଇ ଓ ରାଜପୁର ଆଦି ୧୨ଟି ସୌରାତରୁ ବାଲି ନଉଠାଇବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବାଲି ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଥିଲେ। ହେଲେ ସବୁ ନିର୍ଦ୍ଦେଶକୁ ଫୁ କରି ଅସାଧୁ ଅଫିସର ଓ ରାଜନେତାଙ୍କୁ ହାତ କରି ନିର୍ବିଘ୍ନରେ ମାଫିଆ ଚଲାଇଛନ୍ତି ଧନ୍ଦା। ଏଣେ ସ୍ଥାନୀୟ ଅତିରିକ୍ତି ତହସିଲଦାର, ଦମ୍ଭର ସହ କହୁଛନ୍ତି ବରାବର ଚଢଉ ଚାଲିଛି।

ଏଣେ ବିଧାନସଭା ପ୍ରଶ୍ନକାଳରେ ଆଜି ଦେଖିବାକୁ ମିଳିଥିଲା ବାଲି ଝଡ଼। ଉଭୟ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ରାଜ୍ୟବ୍ୟାପୀ ବିଭିନ୍ନ ନଦୀରୁ ବହୁଳ ବାଲି ଚୋରି ଚାଲିଥିଲେ ବି ଏହାକୁ ରୋକିବାକୁ ସ୍ୱତନ୍ତ୍ର ନୀତି ନଥିବାରୁ କ୍ଷୁବ୍ଧ ହୋଇଥିଲେ ବିଜେପି ସଦସ୍ୟ। ରାଜ୍ୟ ସରକାର କାହିଁକି ବାଲି ନୀତି ଚିଠା ପ୍ରସ୍ତାବ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ବିଧାୟକ ମୋହନ ମାଝୀ ? ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଏ ପ୍ରସଙ୍ଗରେ ଟାର୍ଗେଟ୍ କରି କହିଥିଲେ-ବାଲି ନୀତି ନଥିବାରୁ ରାଜ୍ୟ ସରକାର ୧୫ ଶହ କୋଟି ଟଙ୍କାର ରାଜସ୍ୱ ପାଉଥିବାବେଳେ ହରାଉଛନ୍ତି ୫ ହଜାର କୋଟି। ଏମିତିକି ନିଜେ ବାଚସ୍ପତି ବି ଏ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିବା ସହ ତାଙ୍କ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଚାଲିଥିବା କହିଥିଲେ। କାହିଁକି ୩ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ କରାଯାଉନି ବୋଲି ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।

ଜବାବରେ ରାଜସ୍ୱମନ୍ତ୍ରୀ ଉତ୍ତର ରଖି କହିଥିଲେ, ଏଠୁ ବିଦେଶକୁ ବାଲି ଚାଲାଣ ହେଉନାହିଁ। ବିଭିନ୍ନ ସମୟରେ ଆମେ ଦୁଇ ତିନିଟି ରାଜ୍ୟକୁ ବାଲି ଦେଇଛୁ। ତେବେ ଖୁବ ଶୀଘ୍ର ବାଲି ଚାଲାଣ ରୋକିବାକୁ ସ୍ୱତନ୍ତ୍ର ନୀତି କରାଯିବ। ଏବେ ଅପେକ୍ଷା ବାଲି ଚୋରା ଚାଲାଣ ରୋକିବାକୁ ରାଜ୍ୟରେ କେବେ ଆସୁଛି ସ୍ୱତନ୍ତ୍ର ଆଇନ।

ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

Other Stories