ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଖୁବ୍ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଓ ତାଙ୍କ ଛାତ୍ରଛାତ୍ରୀ।

୧୫ ଟନ୍ ବାଲିରେ ୧୫ ଫୁଟ୍ ଓସାରର ଏହି ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ସହ ତ୍ରିରଙ୍ଗା ଏବଂ ଲାଲ୍ କିଲ୍ଲା, ଇଣ୍ଡିଆ ଗେଟ୍, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ତାଜମହଲ ଭଳି ବହୁ ଐତିହ୍ୟ ସ୍ଥଳ ପ୍ରଦର୍ଶିତ କରାଯାଇଛି।

ସେହିପରି କଟକ ବେଲ୍ ଭ୍ୟୁ ଠାରେ ପ୍ରଦର୍ଶିତ ହୋଇଛି ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁ। ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା ସହ ଏଥିରେ ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁ, କଙ୍ଗାରୁ ଓ କୋଆଲା ଆଦି ଜୀବଜନ୍ତୁ ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସିଦ୍ଧାର୍ଥ ବେହେରା।

ଆଜି ସମସ୍ତଙ୍କ ନଜର ରହିବ ରାଜଧାନୀ ଦିଲ୍ଲୀର ରାଜପଥ ଉପରେ। ଏଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାପରେ ତିନି ସେନା ପକ୍ଷରୁ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶିତ ହେବ। ଏହାସହ ପ୍ରଜ୍ଞାପନ ମେଢ଼ ମଧ୍ୟ ଦେଖିବାକୁ ମିଳିବ। ଆଜି ମୋଟ ୨୨ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବାକୁ ଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼।

You might also like