ରାଜଧାନୀରେ ଆରମ୍ଭ ହେଲା ସାମ୍ପଲ ଟେଷ୍ଟ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ତେଣୁ ରାଜଧାନ ଭୁବନେଶ୍ୱରକୁ କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ଭୁବନେଶ୍ୱରରେ ନମୂନା ପରୀକ୍ଷା ଜୋରଦାର କରାଯିବା ସହ ସପ୍ତାହକ ମଧ୍ୟରେ ୫ ହଜାର ପରୀକ୍ଷା କରାଯିବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ କହିବା ପରେ ଆଜି ସକାଳୁ ଏ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ଆଜି ସକାଳୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି କରୋନା ନମୂନା ସଂଗ୍ରହ ପ୍ରକ୍ରିୟା। ଆଗାମୀ ୭ ଦିନ ଭିତରେ ଭୁବନେଶ୍ୱରରେ ୫ ହଜାର କରୋନା ଟେଷ୍ଟ ହେବ  ଘୋଷଣା କରାଯିବା ପରେ ଏପରି ତତ୍ପରତା ପ୍ରକାଶ ପାଇଛି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୧୩ଟି ଟିମ୍ ଗଠନ ହୋଇଛି ।

ଟିମ୍‌ରେ ଡାକ୍ତର, ଶିକ୍ଷକ, ପୋଲିସ୍ ଓ ପରିମଳ କର୍ମଚାରୀ ସାମିଲ ହୋଇଛନ୍ତି । ୧୩ଟି ଟିମ୍ ୨ଟି ସିଫ୍ଟରେ ସାମ୍ପଲ ସଂଗ୍ରହ କରିବେ। ଗୋଟିଏ ସିଫ୍ଟ ସକାଳ ୮ଟାରୁ ଦିନ ୧୧ଟା ଯାଏଁ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରିବେ।

ସୂଚନାଥାଉ କି, ହଟସ୍ପଟ ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ସ୍ପତନ୍ତ୍ର ଷ୍ଟ୍ରାଟେଜି ଘୋଷଣା କରିଥିଲେ ମୁଖ୍ୟ ଶାସନ ସଚିବ। ଆଗାମୀ ୭ ଦିନ ଭିତରେ ଭୁବନେଶ୍ୱରରେ ହେବ ୫ ହଜାର କରୋନା ଟେଷ୍ଟ॥ କେବଳ ରାଜଧାନୀ ଭୁବନେଶ୍ୱରରୁ ୫ ହଜାର ସାମ୍ପଲ ଟେଷ୍ଟ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଭୁବନେଶ୍ୱରକୁ ନିରାପଦ କରିବା ସହ କରୋନା ନେଇ ଚିତ୍ର ସ୍ପଷ୍ଟ କରିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ଶାସନ ସଚିବ କହିଥିଲେ।

ରାଜ୍ୟରେ ଏବେ ସୁଦ୍ଧା ମୋଟ୍ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୪୬ ଜଣ ରହିଛନ୍ତି। ଯଦି, ୫ ହଜାର ଟେଷ୍ଟ ହୁଏ ତାହାହେଲେ ଦେଶରେ ପ୍ରଥମ ଥର ପାଇଁ କୌଣସି ସହରରେ ଏତେ ସଂଖ୍ୟାରେ ଟେଷ୍ଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।

You might also like