ରାଜ୍ୟବାସୀଙ୍କୁ ପୂରା ଅନ୍ଧାରରେ ରଖିଛନ୍ତି ରାଜ୍ୟ ସରକାର: ବିଜେପି

ମିଛ କହିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସରକାର ଅନ୍ଧାର ଭିତରେ ରଖିଛନ୍ତି । ଏମିତି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଏହାସହ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କ ଉପରେ କିଛି ଏମିତି ଢଙ୍ଗରେ ବର୍ଷିଛନ୍ତି। ସେ କହିଛନ୍ତି, ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ ଅସୁରକ୍ଷିତ ହୋଇପଡିଛି। ବର୍ତ୍ତମାନ ସମୟରେ ସେଠିକାର ଲୋକେ ବାଧ୍ୟ ବାଧକତାରେ ଆନ୍ଧ୍ରମୁହାଁ ହୋଇଛନ୍ତି। ତେଣୁ ଆନ୍ଧ୍ର ପକ୍ଷରୁ ଆଜି ସେଠାରେ ନିର୍ବାଚନ କରାଯାଇଛି।

ଏହି ପ୍ରସଙ୍ଗରେ ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଯାଇଛନ୍ତି । ଏପରିକି ଏହି ମାମଲାରେ ଗୁଇନ୍ଦା ବିଭାଗ ଫେଲ ହୋଇଛି ବୋଲି ଅଭିଯୋଗ ଉଠାଇଛନ୍ତି ସମୀର ମହାନ୍ତି।  ସମୀର ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ୪ ଦିନ ହେଲାଣି ଅନେକ ଜିଲ୍ଲାକୁ ଗସ୍ତ କରିଛୁ ଯେଉଁଠାରେ କି ଏମିତି ସୀମାକୁ ନେଇ ଅଶାନ୍ତି ଲାଗି ରହୁଛି। ତେବେ ରାଜ୍ୟ ସରକାର ଏତେ ବିଳମ୍ବ କାହିଁକି କଲେ? ରାଜ୍ୟବାସୀଙ୍କୁ ଅନ୍ଧାରରେ କାହିଁକି ରଖୁଛନ୍ତି? ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଲୋକଙ୍କୁ ନିଜ ପରିବାର ଭାବୁନାହାନ୍ତି ତେଣୁ ନିଜ ଜିଲ୍ଲାରେ ୨ ସ୍ଥାନରେ ମଧ୍ୟ ନିର୍ବାଚନ ହେଉଛି ଯାହାକୁ ମୁଖ୍ୟମନ୍ତ୍ରୀ ଲୁଚାଇଛନ୍ତି ବୋଲି ସେ କହିଛନ୍ତି। କେବଳ ଗଞ୍ଜାମ ନୁହେଁ ରାୟଗଡାରେ ମଧ୍ୟ ନିର୍ବାଚନ ହେଉଛି। ଏହାସହ ଗଜପତିରେ ନିର୍ବାଚନ କଥା ମଧ୍ୟ ରାଜ୍ୟ ସରକାର ଲୁଚାଉଛନ୍ତି ବୋଲି ସମୀର ମହାନ୍ତି ଅଭିଯୋଗ ଆଣିଛନ୍ତି।

ତେବେ ସମୀରଙ୍କ ଅଭିଯୋଗରେ ଜବାବ ଦେଇ ବିଜେଡି ବିଧାୟକ ଶଶି ବେହେରା କହିଛନ୍ତି, ବର୍ତ୍ତମାନ ସମୟରେ କୋଟିଆ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି। ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେଠାରେ ନିର୍ବାଚନ ହେଉଛି।  ରାଜ୍ୟ ସରକାର ଏ ଦିଗରେ ସୁପ୍ରିମକୋର୍ଟ ଯାଇଛନ୍ତି। ସବୁ ଦିଗ ପ୍ରତି କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ ଦୃଷ୍ଟି ଦେବା ଉଚିତ ବୋଲି ଶଶୀ କହିଛନ୍ତି। ଏହାସହ ଅଶାନ୍ତି ଦୂର କରିବା ହେଉଛି କେନ୍ଦ୍ରର ଦାୟିତ୍ୱ। ଆମେ ସୁପ୍ରିମକୋର୍ଟ ଯାଇଥିବାରୁ ଖଣ୍ଡ ଯୁଦ୍ଧ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଶଶିଭୂଷଣ ବେହେରା। ଆଉ ଏପଟେ ଉଭୟ କେନ୍ଦ୍ର ଓ ରାଜ୍ୟର ଚରମ ଅବହେଳା ଯୋାଗୁଁ ଏଭଳି ସ୍ଥିତି ହୋଇଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ତେବେ କୋଟିଆକୁ ନେଇ ଗତ କିଛିଦିନ ହେଲା ସରଗରମ ହୋଇଛି ରାଜନୀତି। ଏ ପ୍ରସଙ୍ଗରେ ଆସନ୍ତା ୧୯ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ।

You might also like