ରାଜ୍ୟ ବିଜେପି ମୁଖ୍ୟ ସମୀର ମହାନ୍ତି: ସାମ୍ନାରେ ଏହିସବୁ ଚ୍ୟାଲେଞ୍ଜ୍

ଭୁବନେଶ୍ୱର: ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ। ଆଜି ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି। ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରେସ୍‌ରେ ଥିଲେ ବି ଶେଷ ମୁହୂର୍ତ୍ତରେ ସମୀରଙ୍କ ନାଁରେ ମୋହର ମାରିଥିଲା ଦଳ। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ। ତେବେ ସଭାପତି ଶିରପା ପିନ୍ଧିବା ପରେ ସମୀରଙ୍କ ସାମ୍ନାରେ ଏବେ ଏକାଧିକ ଚ୍ୟାଲେଞ୍ଜ ରହିଛି।

ସାମୀର ଆଜି କେନ୍ଦ୍ରୀୟ ନେତା, ସାଂସଦ, ବିଧାୟକ ଓ ଅନ୍ୟ ସମର୍ଥକଙ୍କ ସହ ଆସି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାରଙ୍କ ସାମ୍ନାରେ ନାମାଙ୍କନପତ୍ର ଦାଖଲ କରିଥିଲେ। ସମୀରଙ୍କ ସହ ପୃଥ୍ୱୀରାଜ ହରିଚନ୍ଦନ ସଭାପତି ରେସ୍‌ରେ ଥିବାରୁ ପଦ କାହାକୁ ଯିବ, ତାକୁ ନେଇ ଦିନ ୧୧ଟା ପରେ ସସ୍‌ପେନ୍ସ ବଢ଼ିଥିଲା। ତେବେ ନାମାଙ୍କନ ପରେ ୫ଟା ୩୦ରେ ଯାଞ୍ଚ୍ ପରେ ସଭାପତି ଭାବେ ସମୀରଙ୍କ ନାଁରେ ସହମତି ନେଇ ଘୋଷଣା ହୋଇଥିଲା।

୨୦୧୬ରୁ ରାଜ୍ୟ ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରି ଆସୁଥିଲେ ସମୀର। ୧୯୭୭ରେ ଛାତ୍ର ସଂଗଠନ ଏବିଭିପିରୁ ତାଙ୍କର ରାଜ୍ୟନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ୧୯୮୦ରେ ଏବିଭିପି ରାଜ୍ୟ ଉପସଭାପତି ପରେ ୧୯୮୪ରେ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଏହାର ବର୍ଷକ ପରେ ବିଡିଏର ଉପ ସୂଚନା ଅଧିକାରୀ ଭାବେ ସେ ସରକାରୀ ଚାକିରି କରିଥିଲେ। ତେବେ ୧୦ ବର୍ଷ ପରେ ଚାକିରିରୁ ଇସ୍ତଫା ଦେଇ ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଇଥିଲେ। ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିଲେ ସମୀର।

ସଭାପତି ହେବା ପରେ ସମୀରଙ୍କ ଆଗରେ ଏକାଧିକ ଚ୍ୟାଲେଞ୍ଜ

  • ସମୀରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ୍ ହେଲା ଦଳର ସବୁ ନେତାଙ୍କୁ ସାଙ୍ଗରେ ଧରି ଚାଲିବା।
  • ଆଗାମୀ ପୌର ନିର୍ବାଚନରେ ୧ ନମ୍ବର ଦଳ ଭାବେ ସହରୀ ଭୋଟରଙ୍କ ବିଶ୍ୱାସ ଭାଜନ ହେବା।
  • କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ନିବିଡ଼ ସମ୍ପର୍କ ଚର୍ଚ୍ଚା ଭିତରେ ତୃଣମୂଳ ସ୍ତରରେ କର୍ମୀଙ୍କ ମନରେ ସୃଷ୍ଟ ସନ୍ଦେହ ଦୂର କରିବା।
  • ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡିକୁ ଠିକଣା ମୁକାବିଲା କରିବା।

    ବିଜେପି ଇତିହାସରରେ କେବଳ ୧୯୮୮ ଓ ୧୯୯୭ରେ ଦୁଇ ଥର ସଭାପତି ପଦ ଲାଗି ଲଢ଼େଇ ହୋଇଥିଲା ବେଳେ ସବୁଥର ଭଳି ଏଥର ବି ସହମତି ଭିତିରେ ନିର୍ବାଚନ ହୋଇଛି।

 

You might also like