’ଲୋକଙ୍କ ଇଛା, ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ’
ପିପିଲି ଉପନିର୍ବାଚନ ନେଇ ମନ୍ତ୍ରୀ ସମୀର ଦାଶଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ
ପୁରୀ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଜୋର ଧରିଲାଣି ରାଜନୈତିକ ଉଷ୍ମତା । ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଶାସକ ବିଜେଡି ଗୋଟିଏ ପାଦ ଆଗରେ। ତେବେ ଉପନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଉପନିର୍ବାଚନୀ ତାତିକୁ ଆହୁରି ସରଗରମ କରିଦେଇଛନ୍ତି ମନ୍ତ୍ରୀ । ପିପିଲି ନିର୍ବାଚନମଣ୍ଡଳୀର ଲୋକେ ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ ବୋଲି ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ଦାଶ ଆଜି ଗଣମାଧ୍ୟମକୁ କହିଛନ୍ତି । ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ମୁଁ ବୁଲାବୁଲି କରୁଛି। ପିପିଲି ଲୋକଙ୍କ ଇଛା ମହାରଥୀଙ୍କ ପରିବାରରୁ କେହି ପ୍ରାର୍ଥୀ ହେଉ । ପିପିଲିର ଲୋକ ମହାରଥୀଙ୍କ ଅନୁପସ୍ଥିତିକୁ ହୃଦୟଙ୍ଗମ କରିଛନ୍ତି । ତେବେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସମୀର ।
ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ଅକ୍ତିଆର କରିବା ପରେ ଏବେ ପିପିଲି ଉପରେ ଶାସକ ଦଳ ବିଜେଡିର ନଜର। ଏହି ଆସନ ହାତେଇଲେ ଦଳ ହ୍ୟାଟ୍ରିକ୍ କରିବ। ୨୦୦୦ ମସିହା ପରଠାରୁ ପ୍ରଦୀପ ମହାରଥୀ ବିଜେଡି ଟିକଟରେ ଲଗାତର ଭାବେ ପିପିଲିରୁ ନିର୍ବାଚିତ ହୋଇ ଆସିଥିଲେ। ପିପିଲି ବିଧାନସଭା କ୍ଷେତ୍ରରୁ ୭ଥର ନିର୍ବାଚିତ ହେବା ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନପାଇ ଆସିଥିବା ପ୍ରଦୀପ ମହାରଥୀ ନିଜ ନିବାଚନ ମଣ୍ଡଳୀରେ ଦବ୍ଦବା ଜାହିର କରିଆସୁଥିଲେ । ଅନ୍ୟପଟେ ୨୦୦୮ ପରଠୁ କ୍ରମାଗତ ବିଭିନ୍ନ ଉପନିର୍ବାଚନରେ ନବୀନ ନିଜକୁ ଅପରାଜେୟ ସାବ୍ୟସ୍ତ କରିଛନ୍ତି। ବିଜେପୁର ଓ ପାଟକୁରା ଆସନକୁ ବିଜେଡି ହାତେଇ ସାରିଥିବାରୁ ପିପିଲି ଦଖଲ କଲେ, ସ୍ପଷ୍ଟ ହୋଇଯିବ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସମକକ୍ଷ କେହି ନାହାନ୍ତି।
ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଗତବର୍ଷ ଅକ୍ଟୋବର ୪ରେ ହୋଇଥିଲା। ତାଙ୍କର ମୃତ୍ୟୁପରେ କିଏ ହେବ ମହାରଥୀଙ୍କ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହେଉଥିଲା। ପିପିଲି ଉପନିର୍ବାଚନ ପାଇଁ କୌଣସି ମୁହୂର୍ତ୍ତରେ ବିଗୁଲ ବଜାଇପାରନ୍ତି ନିର୍ବାଚନ କମିଶନ୍। କିନ୍ତୁ ଏଯାଏ ସ୍ପଷ୍ଟ ହୋଇନି କୌଣସି ଦଳର ପ୍ରାର୍ଥୀଙ୍କ ନାଁ ସବୁ ଦଳରେ ଚାଲିଛି ଅଙ୍କକଷା। ବିଜେଡି କାହାକୁ କରିବ ମହାରଥୀଙ୍କ ଉତ୍ତରାଧିକାରୀ? ମହାରଥୀଙ୍କ ପତ୍ନୀ ପ୍ରତିଭା ନା ପୁଅ ରୁଦ୍ରପ୍ରତାପ ?
#ମହାରଥୀଙ୍କ_ପରିବାର_ସଦସ୍ୟଙ୍କୁ_ମିଳୁ_ଟିକେଟ
ପିପିଲି ଉପନିର୍ବାଚନ ନେଇ ମନ୍ତ୍ରୀ ସମୀର ଦାଶଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ।
ଲୋକେ ଚାହୁଁଛନ୍ତି ମହାରଥୀଙ୍କ ପରିବାରକୁ ଟିକେଟ ମିଳୁ। ମୋ ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ମୁଁ ଲୋକଙ୍କ ସଂପର୍କରେ ଅଛି ।#Odisha pic.twitter.com/wY2lD9mQTf— ଓଟିଭି (@otvkhabar) March 13, 2021