‘୨ ଦଶନ୍ଧି ପରେ ନବୀନଙ୍କ ମନେପଡୁଛି ଓଡ଼ିଆ ଅସ୍ମିତାର କଥା?’

ଭୁବନେଶ୍ୱର: କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ନେଇ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ ହୋଇନି ବୋଲି କହି ପ୍ରଶ୍ନ କରିଛନ୍ତି ସମୀର। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ କେନ୍ଦ୍ରର ପ୍ରତିବଦ୍ଧତାକୁ ଭୁଲ ଦର୍ଶାଇବା ପାଇଁ ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ ହୋଇନି। ମୋଦି ସରକାରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଓ ଅନୁଦାନ ଦିଆଯାଉଛି। ଯେଉଁଥି ପାଇଁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଗୁରୁତ୍ୱ ରଖୁନାହିଁ ବୋଲି ସମୀର କହିଛନ୍ତି। ଓଡ଼ିଶାବାସୀଙ୍କ ସୁଖଦୁଃଖରେ ପ୍ରଧାନମନ୍ତ୍ରୀ ଚଟାଣ ଭଳି ଛିଡ଼ା ହୋଇଛନ୍ତି। କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ୧୦ ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି।

  •  ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଓ ଅସ୍ମିତା କଥା କହୁଛନ୍ତି, ତେବେ କାହିଁକି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ୨୦ ବର୍ଷ ନେଲେ?
  • ସତ୍ୟବାଦୀରେ ଭିତ୍ତିପ୍ରସ୍ତର ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ କେବେ ହେବ?
  • ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କେବେ ହେବ?
  •  ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ କେନ୍ଦ୍ର ପଦକ୍ଷେପ ନେଇଛି। ମାଣବସା, ଛଉ, ରାବଣ ଛାୟା ନୃତ୍ୟ ଜାତୀୟ ସଂସ୍କୃତି ଐତିହ୍ୟରେ ସ୍ଥାନିତ।
  • ମୋଦିଙ୍କ ଶାସନରେ କମଳା ପୂଜାରୀ, ହଳଧର ନାଗ, ଜିତେନ୍ଦ୍ର ହରିପାଲ, ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ଦେଇ ଓଡ଼ିଶାକୁ ଜାତୀୟ ସମ୍ମାନ ଦେଇଛନ୍ତି।
  • ପାଇକ ବିଦ୍ରୋହକୁ ଜାତୀୟ ସ୍ୱୀକୃତି ମାନ୍ୟତା ଦିଆଯାଇ ସ୍ମୃତିପୀଠ ନିର୍ମାଣ ହୋଇଛି।
  • ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ବିବାଦ, ବଗଲା ଧର୍ମଶାଳା କଥା ସମସ୍ତେ ଜାଣନ୍ତି। ରଥଯାତ୍ରା କରାଇ ନ ଦେବାକୁ କିଏ ଷଡ଼ଯନ୍ତ୍ର କରିଥିଲା ବୋଲି ପଚାରିଲେ।
  • ମୁଖ୍ୟମନ୍ତ୍ରୀ ମହାନଦୀକୁ ଜୀବନରେଖା କହୁଛନ୍ତି କିନ୍ତୁ ଜଳ ସମସ୍ୟାର ସମାଧାନ ପାଇଁ କେତେ ଥର ବୈଠକ ଡାକିଛନ୍ତି?
  • ଜନଜାତିକୁ ସଶକ୍ତ କରିବା ପାଇଁ ୩ ବର୍ଷରେ ମୋଦି ବହୁତ ଚିନ୍ତା କରିଛନ୍ତି। ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଓ ଗିରିଶ ମୁର୍ମୁଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି।
  • ମୁଖ୍ୟମନ୍ତ୍ରୀ କହୁଛନ୍ତି ଯୁବଶକ୍ତି ରାଷ୍ଟ୍ରର ବଡ଼ ସମ୍ପତ୍ତି, ତାହେଲେ କାହିଁକି ଦାଦନ ଖଟୁଛନ୍ତି?
You might also like