‘ରାଜ୍ୟ ସରକାର କାହିଁକି ସାଜିଲେ ଜମି ଡିଲର ?’

ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ବିଜେପି ପକ୍ଷରୁ ଜୋର ଧରିଛି ପ୍ରତିବାଦ। ବିଜେପି ବିଧାୟକ ଓ କର୍ମୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

ବଗଲା ଧର୍ମଶାଳା ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍‌ରେ କହିଛନ୍ତି ଯେ ଆଇନ ଅନୁସାରେ ଧର୍ମଶାଳା ଜମି କେବେ ବିକ୍ରି କରାଯାଇପାରିବ ନାହିଁ। ଦାନ ସୂତ୍ରରେ ମିଳିଥିବା ଜମିକୁ ବିକ୍ରି କରାନଯିବା ନେଇ ଆଇନ ଅଛି। ଦୂରରୁ ପୁରୀ ଆସୁଥିବା ତୀର୍ଥଯାତ୍ରୀ ଅଳ୍ପ ମୂଲ୍ୟ ବା ମାଗଣାରେ ରହିପାରୁଥିଲେ। ଏତେ ବଡ଼ ଐତିହାସିକ ଜମି ବିକ୍ରି ପଛରେ ଥିବା ଦୁର୍ନୀତି ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ସୌନ୍ଦଯର୍ୟକରଣ ପାଇଁ ୩ ଶହ ଲୋକଙ୍କୁ ବିସ୍ଥାପିତ କରାଗଲା।
୩ଶହ ଲୋକଙ୍କ ମଧ୍ୟରୁ କିଛି ଲୋକଙ୍କୁ କାହିଁକି ଜମି ଦିଆଗଲା? ଆଇନ ସମସ୍ତଙ୍କ ପାଇଁ କାହିଁକି ଅଲଗା ଅଲଗା ସେ ପ୍ରଶ୍ନ କରିଛନ୍ତି।

ସେହିପରି ବଗଲା ଧର୍ମଶାଳା ବିକାଶ ପାଇଁ ପ୍ରସାଦ ଯୋଜନାରେ ୨୦ କୋଟି ଆସିଥିଲା। ବିକାଶ, ସର୍ବେକ୍ଷଣ ପାଇଁ ୩ କୋଟି ଖର୍ଚ୍ଚ କଲେ; କିନ୍ତୁ ଏବେ ଜମି ବିକିଦେଲେ। ହଠାତ ରାଜ୍ୟ ସରକାର କାହିଁକି ଜମି ଡିଲର ସାଜିଲେ ବୋଲି କହିଲେ ସମ୍ବିତ ପ୍ରଶ୍ନ କରିଛନ୍ତି। କିଛି ମନ୍ତ୍ରୀ, ନେତାଙ୍କୁ ସେଠାରେ ଜମି ଦେବାକୁ ମସୁଧା ଚାଲିଥିବା ଆଲୋଚନା ହେଉଛି। ହାଇକୋର୍ଟରେ ମାମଲା ଚାଲିଥିବା ବେଳେ କେମିତି ଜମି ବିକ୍ରି କରିଦେଲେ ବୋଲି ସମ୍ୱିତ୍ ପ୍ରଶ୍ନ କରିଛନ୍ତି।

ଜମି ବିକ୍ରି ପଛରେ ବଡ କାରସାଦି ଥିବା ସେ ଅଭିଯୋଗ କରିଛନ୍ତି। ଧର୍ମଶାଳା ଜାଗାରେ କେବଳ ଧର୍ମଶାଳା କରାଯାଉ ବୋଲି ସେ ଦାବି କରିଛନ୍ତି। ଗତ କିଛି ଦିନ ଧରି ବଗଲା ଧର୍ମଶାଳା ବିକ୍ରିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଗତକାଲି ବିଜେପି ପକ୍ଷରୁ ଏହା ବିରୋଧରେ ପ୍ରତିବାଦ କରାଯାଇଥିଲା।

ବଗଲା ଧର୍ମଶାଳା ଜମିକୁ ଲଜ୍ ମାଲିକଙ୍କୁ ବିକ୍ରି କରିବା ଅଭିଯୋଗ ଉପରେ ପୂର୍ବରୁ ପୁରୀର  ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ପୁରୀ ଜିଲ୍ଲାପାଳ ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ଠିକ୍ ନୁହେଁ, ଏହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହୋଇଛି।  ଲଜିଂ ହାଉସ ଫଣ୍ଡ କମିଟି ଆକ୍ଟ ଗତ ସେପ୍ଟେମ୍ବର ୨୦୧୮ରୁ ଉଚ୍ଛେଦ ହୋଇଯାଇଛି।

ଶ୍ରୀମନ୍ଦିରର ୭୫ ମିଟର ଚୌହଦି ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ କରିଥିବା ଲଜ୍ ମାଲିକମାନଙ୍କ ପାଇଁ ବଡ଼ଦାଣ୍ଡରେ ଜାଗା ଦେବାକୁ ହିଁ ବଗଲା ଧର୍ମଶାଳା ଜମିକୁ ବଛା ଯାଇଥିଲା। ସେହି ମାଲିକମାନଙ୍କୁ ବିକ୍ରି କରାଯାଇଥିବା କହିଥିଲେ ଏଡିଏମ୍।

You might also like