ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ମହାପର୍ବ। ଦେବ ଦମ୍ପତିଙ୍କ ବାହାଘର ସରିବା ପରେ ଏବେ ମନ୍ଦିରରେ ଅନ୍ୟ ରୀତିନୀତି ଚାଲିଛି। ଗତକାଲି ବିଳମ୍ବିତ ରାତିରେ ସରିଥିଲା ବାହାଘର। କରୋନା କଟକଣା ଯୋଗୁଁ ମନ୍ଦିର ଭିତରେ ସମସ୍ତ ରୀତିନୀତି ହୋଇଥିଲା ।  ରାତିରେ ବିଭିନ୍ନ ଶିବ ମନ୍ଦିରରେ ବର ବେଶରେ ମହାଦେବ ପହଞ୍ଚିବା ପରେ ସ୍ୱତନ୍ତ୍ର ଆଳତି ହୋଇଥିଲା। ଆଉ  ବ୍ରାହ୍ମ ମୁହୂର୍ତ୍ତରେ ଶିବ-ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି ।

ଏହା ପୂର୍ବରୁ ଚଳିତ ବର୍ଷର କନ୍ୟା ପିତାମାତାମାନେ ଶିବ ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ନିଜ ନିଜ ଘରକୁ ନେଇଥିଲେ । ସେଠାରେ ବିବାହର ସମସ୍ତ ରୀତିନୀତି କରିବା ପରେ ପୁଣି ମନ୍ଦିରକୁ ଫେରିଥିଲେ।  ଆଉ ରାତିରେ ସହରର ବିଭିନ୍ନ ମନ୍ଦିରରେ ହୋଇଥିଲା ଭୋଲାବାବାଙ୍କ ସହ ମା’ଙ୍କ ବିବାହ ଉତ୍ସବ । ତେବେ ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଲୋକେ । କରୋନା କଟକଣା ଯୋଗୁଁ ସୀମିତ ଲୋକ ଓ ନୀତିକାନ୍ତି ସହ ସଂପୃକ୍ତ ଥିବା ଲୋକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଛି।

ପ୍ରକାଶ ଥାଉଯେ ଭଦ୍ରକ ଜିଲ୍ଲା ଆଖଣ୍ଡଳମଣିଙ୍କ ମନ୍ଦିରରେ ମଙ୍ଗଳବାର ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହୋଇଥିଲା । ପରେ ହଳଦୀ, ଚନ୍ଦନ ଓ ସୁବାଷିତ ଜଳରେ ଦ୍ୱିତୀୟ ମଙ୍ଗୁଳାନୀତି କରାଯାଇ ନବବସ୍ତ୍ର ଲାଗି କରାଯାଇଥିଲା ।

ଏଥିସହ ମନ୍ଦିର ପ୍ରାଙ୍ଗଣରେ ଥିବା ମାତା ପାର୍ବତୀଙ୍କୁ ମଙ୍ଗୁଳାନୀତି କରାଯାଇ ନୂଆ ଶାଢୀ ପିନ୍ଧାଯାଇଥିଲା । ସେପଟେ ବରପିତା ଓ କନ୍ୟାପିତାଙ୍କ ଘରକୁ ସୋମବାର ବାବା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ହରଗୌରୀଙ୍କୁ ଲୋକାଚାରରେ ମହିଳାମାନେ ମଙ୍ଗୁଳା କାର୍ଯ୍ୟ କରିଛନ୍ତି । ଚଳିତ ବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ୱାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି । ମହାମାରୀ କରୋନା ପାଇଁ ପୀଠରେ ୧୪୪ ଧାରା ଜାରି କରାଯାଇଛି । ପୀଠରେ ବ୍ୟାପକ ପୋଲିସ ମୃତୟନ ଅଛନ୍ତି ।

Other Stories