୯ତାରିଖ ସୁଦ୍ଧା ସରକାରୀ କର୍ମଚାରୀଙ୍କୁ ମିଳିବ ଦରମା ଓ ପେନସନ୍

ଭୁବନେଶ୍ୱର: ଏପ୍ରିଲ ୯ତାରିଖ ସୁଦ୍ଧା ରାଜ୍ୟ କର୍ମଚାରୀମାନଙ୍କୁ ଦରମା ଓ ପେନସନ ନିଶ୍ଚିତ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଆଜି ଟ୍ରେଜେରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା, ସ୍ୱତନ୍ତ୍ର ଓ ସବ-ଟ୍ରେଜେରୀର ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ‘କରୋନା’ ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ନିଜର କର୍ମଚାରୀମାନଙ୍କୁ ଦରମା ଓ ପେନସନ ଦେବା ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି।

ଆଜି ଓଡ଼ିଶା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇସାରିଛି। ତେଣୁ ୨୦୧୯ ଜୁଲାଇ ପହିଲାରୁ ବର୍ଦ୍ଧିତ ବକେୟା ମହଙ୍ଗା ଭତ୍ତା ସହ ମାର୍ଚ୍ଚ ମାସର ପେନସନ ଆସନ୍ତା ମାର୍ଚ୍ଚ ୩୧ତାରିଖ ମଧ୍ୟରାତ୍ରରେ ଆଇଏଫଏମଏସ୍ ମାଧ୍ୟମରେ ସମସ୍ତ ଟ୍ରେଜେରୀକୁ ପଠାଇ ଦିଆଯିବ।

ସେହିପରି କର୍ମଚାରୀମାନଙ୍କ ମାର୍ଚ୍ଚ ମାସର ଦରମାକୁ ଏଚଆରଏମଏସ୍ ମାଧ୍ୟମରେ ପ୍ରସ୍ତୁତ କରି ସେମାନଙ୍କ ଆକାଉଣ୍ଟକୁ ଏପ୍ରିଲ ୧ରୁ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୨୬ରୁ ଇ-ମେଲ୍ ମାଧ୍ୟମରେ ଡିଡିଏମାନଙ୍କଠୁ ଆସିଥିବା ଦରମା ବିଲକୁ ମଞ୍ଜୁରୀ କରି ଏପ୍ରିଲ ୩ତାରିଖ ସୁଦ୍ଧା ଏହା ପ୍ରଦାନ ନିମନ୍ତେ କୁହାଯାଇଛି।

ଟ୍ରେଜେରୀଗୁଡ଼ିକରେ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନକୁ ବଜାୟ ରଖି ସମସ୍ତ ପେନସନ ଓ ଦରମା ବିଲକୁ ନିଶ୍ଚିତ ଭାବେ ଏପ୍ରଇଲ ୯ତାରିଖ ସୁଦ୍ଧା ମଞ୍ଜୁର କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

You might also like