ମା’ ଚାପୁଡ଼ାରୁ ବଞ୍ଚିବାକୁ ଯାଇ ଟାୟାର ଭିତରେ ଲୁଚିଥିଲା ଆଶା, ଚଢ଼ିଗଲା ଜେସିବି

ବାଲେଶ୍ୱର: ମୃତ୍ୟୁ ଏମିତି ବି ଆସେ। ମା’ର ମାଡ଼ରୁ ବଞ୍ଚିବା ପାଇଁ ଲୁଚିଥିଲା କୁନି ଝିଅ। ହେଲେ ମା’ର ମାଡ଼ରୁ ତ ବଞ୍ଚିଗଲା କିନ୍ତୁ ସବୁଦିନ ପାଇଁ ଚାଲିଗଲା । କୁହାଯାଏ ମା’ ମାନେ ପିଲାକୁ ଆକଟ କରନ୍ତି। ପିଲାମାଙ୍କର ଠିକ ସମୟରେ ଖାଇବା-ଶୋଇବା-ଗାଧୋଇବା ଆଦିକୁ ଗୁରୁତ୍ୱ ଦିଅନ୍ତି। କୁନି ପିଲାମାନେ ଏଥିରେ ଅଝଟ ହେଲେ ମା’ମାନେ ରାଗନ୍ତି। ଆଉ ଆବଶ୍ୟକ ପଡ଼ିଲେ ଚାପୁଡ଼ା ମଧ୍ୟ ମାରନ୍ତି। ହେଲେ ମା’ର ଏହି ଆଚରଣ କେବେ ଏଭଳି ପରିସ୍ଥିତି ସୃଷ୍ଟି କରିବ ତାହା କେହି ଚିନ୍ତା ବି କରି ନଥିବେ।

କୁନି ଝିଅ ଆଶା। ଅଝଟ ହେଉଥିଲା। ଖାଇବନି ବୋଲି ଜିଦି କରୁଥିଲା। ହେଲେ ମା’ ବାରମ୍ବାର ଡାକୁଥିଲା, ଆସ ଖାଇବୁ। କିନ୍ତୁ ଅଶା ଖାଇବାକୁ ଅମଙ୍ଗ ଥିଲା। ତେଣୁ ମା’ ବିରକ୍ତି ପ୍ରକାଶ କରିଥିଲା, ଆଉ ରାଗି ଯାଇ ଝିଅ ଗାଲରେ ଚାପୁଡ଼ାଟିଏ ବସେଇଥିଲା। ମା’ଠାରୁ ମାଡ଼ ଖାଇ ଆଶା କାନ୍ଦି କାନ୍ଦି ସେଠାରୁ ଚାଲିଆସିଲା। ହେଲେ ମା’ ତ ଚାପୁଡ଼ାଟି ମାରିଥିଲା, ଝିଅ ପେଟକୁ ଦାନା ଯାଉ ବୋଲି। ତେଣୁ ମା’ର ମନ କେମିତି ବା ବୁଝିଥାନ୍ତା। ଝିଅ କାନ୍ଦି କାନ୍ଦି ଯିବା ପରେ ମା’ ପୁଣି ଡାକଛାଡ଼ିଥିଲା ଆଶାକୁ। ଆସ ଖାଇବୁ। ହେଲେ ଆଶାର ଯେହେତୁ ଇଚ୍ଛା ନଥିଲା, ସେ ଭାବିଲା ନଖାଇଲେ ମା’ ପୁଣି ମାରିବ। ତେଣୁ ଘର ପାଖରେ ପଡ଼ିଥିବା ଏକ ବଡ଼ ଟାୟାର ଭିତର ଆଶା ଲୁଚି ଯାଇଥିଲା।

ହେଲେ ଦୁର୍ଭାଗ୍ୟ। ସେଦିନ ସେହି ଲୁଚିବା ଥିଲା, ଆଶାର ଶେଷ ଦିନ। ସେହି ଟାୟର ଭିତରେ ମା’ଠରୁ କିଛି ସମୟ ଲୁଚି ରହିବା ପରେ ବାହାରିଯିବ ବୋଲି ଭାବିଥିଲା ଆଶା। ହେଲେ କପାଳ ଲେଖନ କେ କରିବ ଆନ। ଭାଗବାନ ଯାହାକୁ ଯେତିକି ଦିନ ପାଇଁ ଏହି ମର୍ତ୍ତ୍ୟ ମଞ୍ଚକୁ ପଠାଇଛନ୍ତି, ସେତିକି ଦିନର ଅଭିନୟ ସରିଲେ ପୁଣି ପାଖକୁ ଡାକି ନିଅନ୍ତି। ଆଶାର ବି ଏହି ମଞ୍ଚରେ ଅଭିନୟ ସରିଥିଲା।

ସେହି ଟାୟାର ଭିତରେ ଲୁଚିଥିଲା ଅଶା, ହେଲେ ଏହା କେବଳ ସେ ନିଜେ ହିଁ ଜାଣିଥିଲା। ଅନ୍ୟ କେହି ଏହା ଜାଣିନଥିଲେ। ପାଖରେ ଥିବା ଜେସିବି ଯେତେବେଳେ ବାହାରିଲା ଯିବାକୁ, ସେତେବେଳେ ସେହି ଟାୟର ଉପରେ ମାଡ଼ି ଚାଲିଗଲା। ଆଉ ଆଶାର ନୀରିହ ଜୀବନ ଦୀପ ସେହି ଟାୟାର ଭିତରେ ହିଁ ଲିଭିଗଲା। ବାଲେଶ୍ୱର ଜିଲ୍ଲା ସୋରରୁ ଗୁରୁବାର ଏହି ଘଟଣା ସାମ୍ନାକୁ ଆସିଛି। ସୋର ଥାନା ଅଧିନ ଆଙ୍ଗୁଳା ଗାଁର କଣ୍ଢେଇ ବିନ୍ଧାଣୀଙ୍କ ୮ ବର୍ଷର ଝିଅ ହେଉଛି ଆଶା।

ତେବେ ଆଶାର ଏଭଳି ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like