କୋଭିଡ ହସ୍ପିଟାଲରେ ତଳେ ଶୋଇଛନ୍ତି ରୋଗୀ; ଭାଇରାଲ ହେଲା ଭିଡିଓ

ବାରିପଦା: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେଉଁଠି ବେଡ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ। କୋଭିଡ ୱାର୍ଡରେ ଥରେ ପରଜନଙ୍କୁ ଥରେ ଭର୍ତ୍ତି କରିଦେଲେ ଆଉ ଦେଖିବା ସମ୍ଭବ ହୋଇ ନ ଥାଏ। ତେଣୁ କୋଭିଡ ହସ୍ପିଟାଲର ଅବ୍ୟବସ୍ଥା ନେଇ ଅନେକ ଅଭିଯୋଗ ଆସିଥାଏ। ନିକଟରେ ବାରିପଦା କୋଭିଡ ଡାକ୍ତରଖାନା ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ହସ୍ପିଟାଲରେ କେଉଁଠି ରୋଗୀ ତଳେ ଶୋଇଛନ୍ତି ତ, କିଏ ଉଲଗ୍ନ ହୋଇ ପଡ଼ିଛି । ଏଭଳି ଫଟୋ ଓ ଭିଡିଓ ଭାଇରାଲ ପରେ ଅଭିଯୋଗ ଉଠାଇଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଫଟୋ ଓ ଭିଡିଓରେ ଯେଉଁ ଦୃଶ୍ୟ ରହିଛି ତାହା ଅତ୍ୟନ୍ତ ଦୟନୀୟ।  ଅଭିଯୋଗ ଅନୁଯାୟୀ, ଗତ ୨୨ ତାରିଖରେ ବାରିପଦା ପାଲବଣି ଅଞ୍ଚଳରେ ଜଣେ ଆକ୍ରାନ୍ତଙ୍କୁ ବାରିପଦା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ତା’ ପରଦିନ ସମ୍ପୃକ୍ତ ରୋଗୀଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ କୋଭିଡ କାରଣରୁ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ହସ୍ପିଟାଲର କିଛି ଆକ୍ରାନ୍ତଙ୍କ ଭିଡିଓ ଭାଇରାଲ ପରେ ହସ୍ପିଟାଲର ଅବ୍ୟବସ୍ଥା ନେଇ ଅଭିଯୋଗ ଉଠାଇଛନ୍ତି ମୃତକଙ୍କ ଭାଇ ।

 

ମୃତକଙ୍କ ଜଣେ ସମ୍ପର୍କୀୟ ବିଭୂଦତ୍ତ ଦାଶ ଏ ନେଇ ଅଭିଯୋଗ କରିଛନ୍ତି, ‘ଏହି କୋଭିଡ ହସ୍ପିଟାଲରେ ବେଡସିଟ ନାହିଁ, ଅକ୍ସିଜେନ ସିଲିଣ୍ଡର ନାହିଁ। କିଏ ଉଲଗ୍ନ ହୋଇ ପଡ଼ିଛନ୍ତି। ନା ଡାକ୍ତର ଅଛନ୍ତି ନା ନର୍ସ ଅଛନ୍ତି। ଏଠାରେ ଚିକିତ୍ସା ଅବହେଳାରୁ ରୋଗୀ ମରୁଛନ୍ତି’ ବୋଲି ସେ କହିଛନ୍ତି।

ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ହସ୍ପିଟାଲର ଅବ୍ୟବସ୍ଥା ନେଇ ଅଭିଯୋଗ କରିବା ସହ ଏହା ଏକ ମରଣଯନ୍ତା ପାଲଟିଛି ବୋଲି କହିଛନ୍ତି

kovid hospital

ସୂଚନାଥାଉ କି, ଏହି କୋଭିଡ୍ ହସ୍ପିଟାଲଟି ଏକ ଘରୋଇ ହସ୍ପିଟାଲ ଦ୍ୱାରା ପରିଚାଳିତ ହେଉଥିବା ଜଣାପଡିଛି ତେବେ ଅଭିଯୋଗକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମତାମତ ମିଳିନଥିବାବେଳେ ମୟୂରଭଂଜ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି ।   ଜିଲ୍ଲାପାଳ କହିଛନ୍ତି, ଯେଉଁଠୁ ଅଭିଯୋଗ ଆସୁଛି, ତାର ତଦନ୍ତ କରୁଛୁ । ହେଲେ କୋଭିଡ ହସ୍ପିଟାଲ ସବୁଠି ଠିକ ଭାବେ ଚାଲିଛି । ଶୀଘ୍ର ସିସିଟିଭି କ୍ୟାମେରା ଲଗାଯିବ। ଯାହା ବି ହେଉଛି ତାର ମନିଟରିଂ କରାଯିବ। ଲୋକମାନେ ବ୍ୟସ୍ତ ନହୋଇ ଭରସା ରଖନ୍ତୁ । ସେଠାରେ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ଦିନ ତଦାରଖ କରୁଛନ୍ତି ବୋଲି ସେ କହିଛନ୍ତି।

You might also like