ଆଜି ସବ୍ୟ-ଅର୍ଚ୍ଚିତାଙ୍କ ବାହାଘର
ଭୁବନେଶ୍ୱର: ଓଲିଉଡ୍ର ହିଟ୍ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଆଜି ବାହାଘର। ରିୟଲ ଲାଇଫ୍ରେ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ। ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍ର ଏହି ହିଟ୍ ଯୋଡ଼ି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଓ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି। ପୂର୍ବରୁ ସେମାନଙ୍କ ନିର୍ବନ୍ଧ ସରିଛି। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର ହେବ ବୋଲି ସୂଚନା ମିଳିଛି।
ସବ୍ୟ-ଅର୍ଚ୍ଚିତାଙ୍କ ବିବାହ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଉଭୟ ଏହି ସସପେନ୍ସରେ ବ୍ରେକ୍ ଲଗାଇଛନ୍ତି। ”ତୋର ମୋର ଯୋଡି ସୁନ୍ଦର”, ”ସ୍ମାଇଲ ପ୍ଲିଜ୍”, ”ମୁଁ ସପନର ସୌଦାଗର” ଓ ”ପାଗଳ କରିଛି ପାଉଁଜି ତୋର”, ”ମୋତେ ଆଣିଦେଲୁ ଲକ୍ଷେ ଫଗୁଣ”, ”ବାଏ ବାଏ ଦୁବାଇ”, ”ହେଲା ମୋତେ ପ୍ରେମ ଜର”, ”କେଉଁ ଦୁନିଆରୁ ଆସିଲ ବନ୍ଧୁ” ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।
ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ଷ୍ଟାଇଲିଶ୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ ଦେଇପାରିଛନ୍ତି। ଅର୍ଚ୍ଚିତାଙ୍କୁ ଓଲିଉଡ୍ର ସବୁଠୁ ଷ୍ଟାଇଲିଶ୍ ଅଭିନେତ୍ରୀ କୁହାଯାଏ। ‘ବାବୁ ଆଇ ଲଭ୍ ୟୁ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିବା ଅର୍ଚ୍ଚିତା ଓଲିଉଡ୍ରେ ୩୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି।
ଅଭିନେତା ସବ୍ୟସାଚୀ ଖାଲି ରିଲ୍ରେ ହିରୋ ନୁହଁନ୍ତି ବରଂ ରିୟଲ ଦୁନିଆର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା। କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇ ସବ୍ୟସାଚୀ ସବୁବେଳେ ଚର୍ଚ୍ଚାରେ ରହିଥିଲେ।
ନିକଟ ଅତୀତରେ ଜଣେ ଝିଅର ହାତ ଚିକିତ୍ସା କରିବା ପାଇଁ ସହଯୋଗର ହାତ ବଢାଇଥିଲେ ସବ୍ୟସାଚୀ। ସେହିପରି ଲକ୍ଡାଉନ୍ କଟକଣା ଯୋଗୁ ପରସ୍ପର ଠାରୁ ବହୁ ଦୂରରେ ଥିବା ବୟସ୍କ ଦମ୍ପତିଙ୍କୁ ଏକାଠି କରି ସେ ବେଶ୍ ପ୍ରଶଂସିତ ହୋଇଥିଲେ।
ଓଡିଆ, ବେଙ୍ଗଲୀ ଏବଂ ତେଲୁଗୁ ଫିଲ୍ମରେ ସବ୍ୟସାଚୀ ଅଭିନୟ କରିଛନ୍ତି। ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ସେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ତା ପୂର୍ବରୁ ସବ୍ୟ ଆଲବମ୍ ଜଗତର ଜଣେ ଲୋକପ୍ରିୟ ଚେହେରା ଥିଲେ। ଅନେକ ହିଟ୍ ଆଲବମ୍ ଦେଇ ସେ ସମୟରେ ଢେର୍ ପ୍ରଶଂସା ସାଉଁଟୁଥିଲେ ସବ୍ୟ।
ସବ୍ୟସାଚୀ ସିଲିକନ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ କରିବା ପରେ ଇନ୍ଫୋସିସ୍ରେ କାମ କରୁଥିଲେ। କିନ୍ତୁ ଅଭିନୟ ପ୍ରତି ଥିବା ତାଙ୍କର ଭଲ ପାଇବା ତାଙ୍କୁ ସେଠାରେ ବେଶି ଦିନ ରହିବାକୁ ଦେଲାନି। ଚାକିରି ଛାଡି ସବ୍ୟସାଚୀ ମନୋରଞ୍ଜନ ଦୁନିଆରେ ପାଦଦେଲେ। ପ୍ରଥମେ ଆଲବମ୍ ତା’ପରେ ଗୋଟେ ପରେ ଗୋଟେ ଫିଲ୍ମ କରି ଓଲିଉଡ୍ର ସୁପରଷ୍ଟାର ହୋଇଗଲେ ସବ୍ୟ।