ଧାନ କିଣା ପ୍ରସଙ୍ଗରେ ପୁଣି ବିଧାନସଭାରେ ହୋହଲ୍ଲା
ଗୃହରେ ଏହି ପ୍ରସଙ୍ଗ ଉତ୍ଥାପନ କଲେ କଂଗ୍ରେସ ବିଧାୟକ ଦଳ ନେତା
- ଗୃହରେ ଉଠିଲା ଧାନ, ସୀମା ଓ ଖଣି ପ୍ରସଙ୍ଗ
- ୧୪ ଲକ୍ଷ ୭୨ ହଜାର ଚାଷୀଙ୍କ ପଂଜୀକରଣ ହୋଇଛି
- କିନ୍ତୁ କାଳିଆ ଟଙ୍କା ପାଇଛନ୍ତି ୩୪ ହଜାର
- ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର
- ଖଣି ସଂପର୍କିତ ମୁଲତବୀ ଗ୍ରହଣ ନ ହେବାରୁ କଂଗ୍ରେସର ହୋହାଲ୍ଲା
- ସୀମାବର୍ତ୍ତୀ ଜିଲ୍ଲାରେ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ ଦାବି
ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଛି ଧାନ କିଣା ପ୍ରସଙ୍ଗ । ଗୃହରେ ଏହି ପ୍ରସଙ୍ଗ ଉତଥାପନ କଲେ କଂଗ୍ରେସ ବିଧାୟକ ଦଳ ନେତା । ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି, ୧୪ ଲକ୍ଷ ୭୨ ହଜାର ଚାଷୀ ଧାନ ବିକିବାକୁ ପଂଜୀକରଣ କରିଥିଲେ ମଧ୍ୟ କିଭଳି ୩୪ ଲକ୍ଷ ଲୋକଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଛି । ପଂଜୀକୃତ ହୋଇଥିବା ୨ ଲକ୍ଷ ୮୦ହଜାର ଚାଷୀ ଧାନ ବିକ୍ରି ପ୍ରକ୍ରିୟାରେ ସାମିଲ ହୋଇ ନାହାନ୍ତି ଯଦି ସେମାନେ ଯୋଗ୍ୟ ନୁହନ୍ତ । କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ କାହିଁକି ରାଜ୍ୟ ସରକାର ଦେଉ ନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ବିଧାୟକ ଦଳର ନେତା ଏହା ଆଗରୁ ଗୃହରେ ସୀମା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସୀମାବର୍ତ୍ତୀ ଜିଲ୍ଲାରେ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଦାବି କରି ହୋହାଲ୍ଲା କରିଥିଲା କଂଗ୍ରେସ । ପାଟିତୁଣ୍ଡ ପାଇଁ ବାଚସ୍ପତି ଗୃହକୁ ଚଳାଇପାରି ନଥିଲେ ଓ ସର୍ବଦଳୀୟ ବୈଠକ ଡକାଇଥିଲେ । ତେବେ ଆଲୋଚନା ପରେ ଏବେ ଗୃହ ସ୍ୱାଭାବିକ ଚାଲିଛି ।
ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ଦେଇଥିଲେ ଯେ, ସୀମାବର୍ତ୍ତୀ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ଏଡ୍ସ ରୋଗୀ, କୁଷ୍ଠ ରୋଗୀ ଓ ଅବିବାହିତ ମହିଳାଙ୍କୁ ଭତ୍ତା ପ୍ରଦାନ କରାଯାଉଛି ।
ସେପଟେ କଂଗ୍ରେସ ଦେଇଥିବା ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ ନ କରିବାରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ଏହାକୁ ନେଇ ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକ ହୋହାଲ୍ଲା କରିଥିଲେ । ତେବେ ଏ ପ୍ରସଙ୍ଗରେ ବିଜେପି ମଧ୍ୟ ଉଦବେଗ ପ୍ରକାଶ କରିଛି ।
ସୀମାବର୍ତ୍ତୀ ଜିଲ୍ଲାରେ ସାମାଜିକ ସୁରକ୍ଷା ପ୍ରସଙ୍ଗରେ ବିଧାନସଭାରେ ହୋହାଲ୍ଲା। ସାମାଜିକ ସୁରକ୍ଷା ନିଶ୍ଚିତ କରିବାକୁ କମିଟି ଗଠନ ଦାବି। କମିଟି ଗଠନ ପାଇଁ ରୁଲିଂ ଦାବି କରି କଂଗ୍ରେସର ହୋହାଲ୍ଲା। #OdishaAssembly #Odisha pic.twitter.com/CH27r6qLKB
— ଓଟିଭି (@otvkhabar) April 3, 2021