ଶୂନ୍ୟକାଳରେ ଉଠିଲା ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ : ପ୍ରତ୍ୟାହାର କରିବାକୁ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଶୂନ୍ୟକାଳରେ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ ଉଠାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ । ଏ ନେଇ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ ବିରୋଧୀ । ତେବେ ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ । ୧୫ ମିନିଟ ପାଇଁ ଗୃହ ମୁଲତବି କରାଯାଇଥିଲା।

ବିଦ୍ୟୁତ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ କହିଛନ୍ତି, ରାଜ୍ୟ ସରକାରଙ୍କ ଜାଣତରେ ସବୁକିଛି ହେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ପତ୍ର ଛଡ଼େନି   କରୋନା ସ୍ଥିତିରେ ଲୋକଙ୍କ ପାଖରେ ଖାଇ‍ବାକୁ ନଥିବା ବେଳେ ବିଦ୍ୟୁତ ଦର ବୃଦ୍ଧି ଏକ ନିନ୍ଦନୀୟ ଘଟଣା । ତାଙ୍କ ବିରୋଧରେ ଆଗକୁ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଏହାର ସମାଧାନ ନେହେଲେ ଦଳ ବାରମ୍ବାର ଏହି ପ୍ରସଙ୍ଗକୁ ଗୃହରେ ଉତଥାପନ କରିବ ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, କରୋନା ସମୟରେ ଦ୍ୱିତୀୟ ଥର ପାଇଁ ବିଦ୍ୟୁତ ଦର ବୃଦ୍ଧି କରି ଲୋକଙ୍କ ଉପରେ ବିଜୁଳି ଛାଟ ମାରିଛନ୍ତି ସରକାର । ଏହା ଏକ ଦୁର୍ଭାଗ୍ୟଜନକ କଥା ।  ମଧ୍ୟବିତ୍ତ ପରିବାର ପାଖରେ କାମ ନାହିଁ, ବେକାରୀ ବୃଦ୍ଧି ପାଉଛି । ସରକାର କାମ ଦେଇପାରିଲେ ନାହିଁ କିନ୍ତୁ ଥରକୁ ଥର ବିଦ୍ୟୁତ ଦଳ ବଢ଼ାଉଛନ୍ତି।  ରାଜ୍ୟ ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରା ନଗଲେ ଗୃହ ବାହାରେ ଓ ଭିତରେ ବିଜେପି ଜୋରଦାର ପ୍ରତିବାଦ କରିବ ।

ଅନ୍ୟପଟେ ଏ ନେଇ ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ବିଦ୍ୟୁତ ଦର ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇ ପାରିଥାନ୍ତା । ଗୃହକୁ ବନ୍ଦ କରିବା ବିଜେପି ଓ କଂଗ୍ରେସର ଅଭ୍ୟାସ ହୋଇ ଗଲାଣି । ବିଦ୍ୟୁତ ଦର ବୃଦ୍ଧି ରାଜ୍ୟ ସରକାର ନିଅନ୍ତି ନାହିଁ । ବିଦ୍ୟୁତ ନିୟାମକ ଆୟୋଗ ନିଅନ୍ତି । ରାଜ୍ୟ ସରକାର କୌଣସି ହସ୍ତକ୍ଷେପ କରନ୍ତି ନାହିଁ ବୋଲି କହିଛନ୍ତି ଅମର ଶତପଥୀ ।

You might also like