ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଫଳରେ ୩ଟା ଯାଏ ଗୃହ ମୁଲତବି ହୋଇଥିଲା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଯଶଓ୍ୱନ୍ତ କମିଶନ ରିପୋର୍ଟ ଦେଇଥିଲେ। ୬ ମାସରେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ ହେବା କଥା ହେଲେ ୬ ବର୍ଷ ବିତିଯାଇଥିଲେ ବି ରିପୋର୍ଟ ଆଗତ ହୋଇନି।  ତାହା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି। ଫଳରେ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଆଉ କେତେ ଦିନ ଚାଲିବ, ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ନରସିଂହ ମିଶ୍ର କହିଥିଲେ। ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି  କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା ସହ ନାରାବାଜି କରିଥିଲେ।

କଂଗ୍ରେସର ଏଭଳି ଆଚରଣକୁ ନେଇ ବିଜେପି ବିଧାୟକମାନେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ। ବାଚସ୍ପତି ଗୃହକୁ ସଠିକ୍ ଭାବେ ପରିଚାଳନା ନ କଲେ କକ୍ଷତ୍ୟାଗ ନେଇ ବିଜେପି ସଦସ୍ୟମାନେ ଧମକ ଦେଇଥିଲେ। ଏଥିପାଇଁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବି ଘୋଷଣା କରିଥିଲେ।

You might also like