ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ

  • ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ
  • ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରାଇବେ ଯାତ୍ରୀ
  • ଯେଉଁ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବ, ସେମାନଙ୍କୁ ହିଁ କେବଳ ଟ୍ରେନ୍‌ରେ ଯାତ୍ରା ପାଇଁ ଅନୁମତି ମିଳିବ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଆଜିଠୁ ଏହି ନିୟମ ଲାଗୁ ହେବ ବୋଲି ପୂର୍ବତଟ ରେଲ୍‌ୱେ କହିଛି।  ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରାଇବେ ଯାତ୍ରୀ।

ଯେଉଁ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବ, ସେମାନଙ୍କୁ ହିଁ କେବଳ ଟ୍ରେନ୍‌ରେ ଯାତ୍ରା ପାଇଁ ଅନୁମତି ମିଳିବ। ନଚେତ୍ ଯାତ୍ରୀଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣର ସାର୍ଟିିଫିକେଟ୍ ଜରୁରୀ। ଏହି ବୈଧ ପ୍ରମାଣ ପତ୍ର ନଥିଲେ ତାଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍‌ କରାଯିବ ବୋଲି ପୂର୍ବତଟ ରେଲ୍‌ୱେ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲ୍‌ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଯୋଗୁ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ କରୋନାର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ରେଲ୍‌ୱେ ଏହି କଟକଣା ଜାରି କରିଛି।

ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ RTPCR ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ ବୋଲି  କିଛିଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ।

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଦେଖି ସବୁଠି ମାସ୍କ ଚେକିଂ ଜୋରଦାର କରାଯାଇଛି। ଏହାସହ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯାଉଛି। ରେଲ୍‌ୱେ ପ୍ଲାଟ୍‌ଫର୍ମ ଗୁଡ଼ିକରେ କଡ଼ା ଚେକିଂ ସହ ଯାତ୍ରୀଙ୍କ କରୋନା ଲକ୍ଷଣ ଥିଲେ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୮୧୨ ଏବଂ ଲୋକାଲ କେସ୍‌ ୫୬୨। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ପାଇଁ ରାଜ୍ୟ ସରକାର କଟକଣା ଆହୁରି କଡ଼ାକଡ଼ି କରିଛନ୍ତି। ମାସ୍କ ନପିନ୍ଧିଲେ ଏଣିକି ଦୁଇ ଗୁଣା ଜରିମାନା ଦେବାକୁ ପଡ଼ିବ। ମାସ୍କ ପିନ୍ଧି ନଥିଲେ ଓ ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରା ପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

You might also like