ଏଣିକି ଅମାନିଆଙ୍କୁ ସାବାଡ଼ କରିବ ‘ଗାଁ କଲ୍ୟାଣ ସମିତି’, କିସ୍ତିରେ ମିଳିବ ଟଙ୍କା

ଭୁବନେଶ୍ୱର: କୋଭିଡ୍ ପରିଚାଳନା ପାଇଁ ଗାଁ କଲ୍ୟାଣ ସମିତିକୁ ମିଳିବ ସର୍ବାଧିକ ୨୦ ହଜାର ଟଙ୍କା । ୨୦୨୧-୨୨ ବର୍ଷ ପାଇଁ ୪ଟି କିସ୍ତିରେ ମିଳିବ ୨୦ ହଜାର ଟଙ୍କା । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ACSଙ୍କ ଚିଠି । କରୋନା ମୁକାବିଲା ପାଇଁ ବୈଠକ କରି ୩ ମାସର ଆକ୍ସନ ପ୍ଲାନ କରିବ ସମିତି । ସ୍ଥାନୀୟ ଗଣମାଧ୍ୟମକୁ ନେଇ ଲୋକଙ୍କୁ ସଚେତନ ମଧ୍ୟ କରିବ ସମିତି ।ଏହାସହ ସାନିଟାଇଜ, ଟିକାକାରଣ ଓ ଟେଷ୍ଟିଂ ପାଇଁ ଲୋକଙ୍କୁ ଉତ୍ସାହିତ କରିବ ସମିତି । ଖାଲି ସେତିକି ନୁହେଁ କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବ ସମିତି ।

ଅନ୍ୟପଟେ ଆଶାକର୍ମୀ ମାନେ ମେ’ ୨୪ରୁ ରାଜ୍ୟବ୍ୟାପୀ ଘର ଘର ବୁଲି ସର୍ଭେ ପାଇଁ ଆକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ ହୋଇଛି । ଏଥିପାଇଁ ମଧ୍ୟ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS  ଚିଠି ଲେଖି ସୂଚାଇ ଦେଇଛନ୍ତି । ପ୍ରତିଦିନ ଘର ଘର ବୁଲି ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଆକ୍ରାନ୍ତଙ୍କୁ ଔଷଧ ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ ହସ୍ପିଟାଲ ପଠାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଲକ୍ଷଣ ଥିଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଟେଷ୍ଟିଂ କରାଇବେ ଏବଂ ଲିଫଲେଟ୍ ବାଣ୍ଟି କୋଭିଡ୍ ସଂପର୍କରେ ସଚେତନ କରିବେ ଆଶାକର୍ମୀ । ସଠିକ୍ ଭାବେ ମାସ୍କ ବ୍ୟବହାର ଓ ହାତ ଧୋଇବା ନେଇ ମଧ୍ୟ ଲୋକଙ୍କୁ ବୁଝାଇବେ। ଅନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ କରୋନା ରୋଗୀଙ୍କୁ ଚିହ୍ନଟ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଦୈନିକ ଅତିକମରେ ୨୦ଟି ଘର ବୁଲି ଆଶାକର୍ମୀମାନେ ସର୍ଭେ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହିଭଳି କୋଭିଡ୍ ସୁପରିଚାଳନା ପାଇଁ ଆଶାକର୍ମୀଙ୍କୁ ମିଳିବ ୧୦ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଆଶାକର୍ମୀଙ୍କୁ ଏକକାଳୀନ ମିଳିବ ସହାୟତା । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି ଲେଖିଛନ୍ତି । ଏହି ଟଙ୍କାରେ ସାଇକେଲ୍, ଛତା, ଚପଲ, ପାଣି ବୋତଲ, ସାବୁନ କିଣିପାରିବେ ଆଶାକର୍ମୀ ।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଆରମ୍ଭ ହୋଇଥିବା ଡ୍ରାଇଭ୍ ଇନ ଓ ଡୋରଷ୍ଟେପ୍ ଟିକାକରଣକୁ ସମ୍ପୂର୍ଣ୍ଣ ମନା କରିଛନ୍ତି । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଡୋରଷ୍ଟେପ୍ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନରେ କିଛି ବି ଉଲ୍ଲେଖ ନାହିଁ । ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯାଉ । ଡୋରଷ୍ଟେପରେ ଟିକାକରଣ ବ୍ୟବସ୍ଥା ଦ୍ୱାରା ଅଧିକ ଟିକା ଅପଚୟ ହେବାର ମଧ୍ୟ ସମ୍ଭାବନା ରହିଛି ।

ଖାଲି ସେତିକି ନୁହେଁ ଯଥେଷ୍ଟ ୱେଟିଂ ଏରିଆ ଓ ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବାକୁ ନିୟମ ରହିଛି । ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନରେ ରଖା ଯିବାର ମଧ୍ୟ ନିୟମ ରହିଛି । ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପରେ ଏସବୁ ନିୟମ ପାଳନ କରିବା ସହଜ ନୁହେଁ । ତେଣୁ ଏସବୁ ବ୍ୟବସ୍ଥା ବନ୍ଦ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS ।

You might also like