ଆକାଉଣ୍ଟାଣ୍ଟଙ୍କ ଘରୁ ମିଳିଲା ସୁନା ବିସ୍କୁଟ, ୧୬ ଲକ୍ଷ ଟଙ୍କା

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରାଜ୍ୟର ତିନିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ଆଜି ସକାଳୁ ସକାଳୁ ୱେସ୍କୋର ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବଲାଙ୍ଗିର ସର୍କିଟ ହାଉସ ନିକଟରେ ଥିବା ବିଭୂତିଙ୍କ  ଘର ଏବଂ ପ୍ୟାଲେସ୍‌ଲାଇନ ଠାରେ ଥିବା ୱେସ୍କୋ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି। ବଲାଙ୍ଗିର,ସୋନପୁର,ବରଗଡ ଏବଂ ସମ୍ୱଲପୁର ଭିଜିଲାନ୍ସ ବିଭାଗ ଏହି ରେଡ୍‌ରେ ସାମିଲ ହୋଇଛନ୍ତି। ବିଭୂତିଙ୍କ ଘରୁ ନଗଦ ୧୬ ଲକ୍ଷ ୩୨ ହଜାର ୨୫୦ ଟଙ୍କା, ସୁନା ବିସ୍କୁଟ ଓ ସୁନା ଅଳଙ୍କାର ଜବତ ହୋଇଥିବା ସୂଚନା ମିଳିଛି। 

ତେବେ ଘରୁ ଜବତ ହୋଇଥିବା ନଗଦ ଟଙ୍କାରୁ ୧୪ ଲକ୍ଷ ଟଙ୍କା ତାଙ୍କ ଶାଳୀର ବୋଲି ବିଭୂତି ସଫେଇ ଦେଇଛନ୍ତି।

ସୂଚନାଥାଉ କି, ଗତକାଲି ବଲାଙ୍ଗିର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲେ। ସମ୍ବଲପୁର ଭିଜିଲାନ୍ସର ୪ ଜଣିଆ ଟିମ୍, ମ୍ୟାନେଜର ସୁଧୀର ନନ୍ଦଙ୍କ ୨ଟି ଘର ଓ ବ୍ୟାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିଲେ।

ଗଞ୍ଜାମ ଜିଲ୍ଲା ଚିକିଟି କଲେଜ୍ ଡେମନଷ୍ଟ୍ରେଟର କୈଳାସ ମହାନ୍ତିଙ୍କ ଘରେ ବି ଗତକାଲି ରେଡ୍ କରିଥିଲା ଭିଜିଲାନ୍ସ। କୈଳାସଙ୍କ ଭୁବନେଶ୍ୱର, ବ୍ରହ୍ମପୁର, ଚିକିଟି ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କଠାରୁ ଲକ୍ଷାଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିର ହିସାବ ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷେ, ଅନୁଗୁଳର କନିଷ୍ଠ କିରାଣୀ ବି ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଅନୁଗୁଳ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ଜୁନିୟର କ୍ଲର୍କ ରୋହିତାସ ବାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରୋହିତାସଙ୍କ ସରକାରୀ ବାସଭବନ, ଆଠମଲ୍ଲିକ ସ୍ଥିତ ଘର, ଫ୍ୟାକ୍ଟ୍ରି ଏବଂ ବୌଦ୍ଧରେ ଥିବା ଫ୍ୟାକ୍ଟ୍ରିରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ।

You might also like