୮ରେ ଜୟପୁର, ୧୩ରେ ବରଗଡ଼ ଆସିବେ ରାହୁଲ

ଭୁବନେଶ୍ୱର: ଆସନ୍ତା ୮ ଓ ୧୩ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ୮ ତାରିଖରେ ଜୟପୁର ଓ ୧୩ ତାରିଖରେ ବରଗଡ଼ ଜନସଭାରେ ଯୋଗଦେବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପୂର୍ବରୁ ରାହୁଲ ୮ ତାରିଖରେ ଉଭୟ ଜୟପୁର ଓ ବରଗଡ଼ ଆସିବା ସ୍ଥିର ହୋଇଥିଲା। ହେଲେ ଏହି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ନିରଞ୍ଜନ କହିଛନ୍ତି। ସେ କହିଛନ୍ତି, “ପୂର୍ବ ନିର୍ଦ୍ଧରିତ କାର୍ଯ୍ୟକ୍ରମ ଅନୁଯାୟୀ ୮ ତାରିଖରେ ରାହୁଲ ବରଗଡ଼ ଗସ୍ତ କରିବେ ନାହିଁ। ଏହିଦିନ ସେ ଜୟପୁର କାର୍ଯ୍ୟକ୍ରମରେ ଯୋଗ ଦେବେ।”

ସେ କହିଛନ୍ତି, “ରାହୁଲଙ୍କ ସ୍ୱତନ୍ତ୍ର ବିମାନ ଜୟପୁର ବିମାନବନ୍ଦରରେ ଅବତରଣ କରି ପାରିବ ନାହିଁ। ତେଣୁ ସେ ଭାଇଜାଗରେ ଅବତରଣ କରି ହେଲିକେପ୍ଟର ଯୋଗେ ଜୟପୁର ଆସିବେ। ଏହାପରେ ପୁଣି ରାୟପୁର ଫେରି ବରଗଡ଼ ଆସିବା ସମୟ ସାପେକ୍ଷ। ତେଣୁ ୮ ତାରିଖରେ ଦୁଇଟି ସ୍ଥାନରେ କାର୍ଯ୍ୟକ୍ରମରେ ରାହୁଲ ଯୋଗ ଦେବା ସମ୍ଭବ ହେବ ନାହିଁ। ୮ ତାରିଖରେ ଜୟପୁର ଓ ୧୩ ତାରିଖରେ ବରଗଡ଼ ଆସିବା ନେଇ କାର୍ଯ୍ୟକ୍ରମ ପୁନଃ ସ୍ଥିରୀକୃତ ହୋଇଛି।”

ସୂଚନାଯୋଗ୍ୟ, ଜୟପୁରରେ ରାହୁଲ ପୂର୍ବାହ୍ନରେ ପହଞ୍ଚିବା ପରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ସମାବେଶରେ ଯୋଗ ଦେବେ। ପରେ ଚାଷୀଙ୍କୁ ଭେଟିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏହାପରେ ସେ ଦିଲ୍ଲୀ ଫେରିଯିବେ।

You might also like