ପ୍ରେମିକା ପାଇଁ ପାଲଟିଲା ପେଶାଦାର ଅପରାଧୀ

ଭୁବନେଶ୍ୱର: ଚୋର ହେଲେ ବି ଚରିତ୍ରରେ କିନ୍ତୁ ରହିଛି ପ୍ରେମିକ ପଣ। ସେଥିପାଇଁ ପ୍ରେମିକାକୁ ବୋଧହୁଏ ଖୁସି କରିବାକୁ ଚୋରି ଧନରେ ଭେଟି ଦେଉଥିଲା ମନ ପସନ୍ଦର ଉପହାର। ହେଲେ ଜେଲ୍‌ରେ ରହି କଳା କାରନାମାର କାହାଣୀ କହୁ କହୁ ନିଜେ ଖୋଲିଦେଲା ନିଜ ଅପରାଧର କଳାଚିଠାା ଆଉ ଧରାପଡ଼ିଲା ପୁରା କାହାଣୀ। ତାସହ ନୟାପଲ୍ଲୀ ଆଇଆରସି ଭିଲେଜ୍‌ର ୬ ମାସ ତଳର ଲୁଟ୍ ଆଉ ହତ୍ୟାର ବି ଫିଟିଲା ଗୁମର। ଦେଖନ୍ତୁ ଜଣେ ଲୁଟେରା ଲଭର୍ର କ୍ରାଇମ୍‌ ନେଇ ଏହି ରିପୋର୍ଟ।

ମୁଣ୍ଡ ଘୋଡାଇ ପୋଲିସ ଧରି ନେଉଥିବା ୟେ ହେଉଛି ଜଣେ ଲୁଟେରା ବି, ପ୍ରେମିକ ବି। ଜାଣିରଖନ୍ତୁ, ଏହି ଲୁଟେରାର କାରନାମା କଣ। ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ୟେ ଏମିତି ଲୁଟେରା, ହୃଦୟରେ ରହିଛି ପ୍ରେମିକ ପଣ। ପ୍ରେମିକା ପ୍ରତି ରଖିଛି ଗଭୀର ପ୍ରେମ। ସେଥିପାଇଁ ଲୁଟ୍ କରି ପ୍ରେମିକାକୁ ଦେଉଥିଲା ଉପହାର। କେବେ ସୁନାଫୁଲ ତ ଆଉ କେବେ ଦାମୀ ଜିନିଷ କିଣି ଭେଟିଦେଉଥିଲା ପ୍ରାଣପ୍ରିୟାକୁ।

ହେଲେ ଏବେ କିନ୍ତୁ ଝାରପଡ଼ା ଜେଲ୍‌ର ଚାରିକାନ୍ଥ ଭିତରେ। ଯାହାର ନାଁ ନାରାୟଣ ମହାନ୍ତି। ପ୍ରିୟତ୍ତମା ପାଇଁ ଲୁଟପାଟ କରି ସଜା ଭୋଗୁଛି ଏବେ ଜେଲ୍‌ରେ। ରାଜଧାନୀର ବିଭିନ୍ନ ଥାନାରେ ତାନାଁରେ ରହିଛି ପ୍ରାୟ ୨୫ଟି ମାମଲା। ଚୋରୀ, ଛିନ୍ତାଇ, ଲୁଟ୍, ରାହାଯାନୀ, ହତ୍ୟା ଭଳି ଏକାଧିକ ଅପରାଧରେ ନିଜକୁ ସାମିଲ କରି ସେ ପାଲଟିଯାଇଛି ପେଶାଦାର ଅପରାଧୀ। ଲୁଟପାଟ କରି ଯାହା ଆଣୁଥିଲା ସେଥିରେ ଉପହାର ଦେଉଥିଲା ରାଜଧାନୀର ପ୍ରେମିକାକୁ।

ତେବେ କେମିତି ସାମ୍ନାକୁ ଆସିଲା ନାରାୟଣର ଏହି ଲଭ୍-ଲୁଟ-ମର୍ଡର ପ୍ଲଟ୍ ? ଖଣ୍ଡଗିରି ଅଞ୍ଚଳରେ ଏକ ଛିନ୍ତାଇ ମାମଲାରେ ଜେଲ୍ ଯାଇଥିଲା ନାରାୟଣ ମହାନ୍ତି। ହେଲେ ଜେଲ୍ ଭିତରେ ରହି ସାଥୀ କଏଦୀଙ୍କୁ ଶୁଣାଉଥିଲା ଲୁଟ୍ ଆଉ ହତ୍ୟାର କାହାଣୀ। ତାମଧ୍ୟରେ ବଖାଣି ଚାଲିଥିଲା ଜୁଲାଇ ୨୬ରେ ନୟାପଲ୍ଲୀ ଆଇଆରସି ଭିଲେଜ୍‌ରେ ତୁଳସୀ ଦେଇ ନାମକ ଜଣେ ବୟସ୍କା ମହିଳାଙ୍କୁ ଆକ୍ରମଣ କରି କେମିତି ଲୁଟିଥିଲା ସୁନା ଅଳଙ୍କାର। ଏହି ସମୟରେ ସେ ଜାଣିନଥିଲା ଏସବୁ କଥା ପୋଲିସ କାନକୁ ଯିବ ବୋଲି। ପୋଲିସ ସୂଚନା ପାଇବା ପରେ ଆରମ୍ଭ କରିଥିଲା ଖୋଳତାଡ଼। ଆଉ ଧରିଥିଲା ନାରାୟଣର ସହଯୋଗୀ ସାଗର ପ୍ରଧାନକୁ। ଯିଏ ପୋଲିସ ଆଗରେ ବଖାଣିଥିଲା ଆଇଆରସି ଭିଲେଜ୍‌ର ଲୁଟ୍ ସହ ତଥ୍ୟ ଦେଇଥିଲା ନାରାୟଣର ଲଭ୍ ଆଉ ଲୁଟ୍‌ର ଥିଓରୀ ସମ୍ପର୍କରେ। ଏହି ଘଟଣାରେ ଏବେ ନାରାୟଣକୁ ୨ ଦିନିଆ ରିମାଣ୍ଡରେ ନେଇଛି ନୟାପଲ୍ଲୀ ପୋଲିସ୍‌।

ଅପରାଧ କରୁ କରୁ ସେ ଜଣେ ପେସାଦାର ଅପରାଧୀ ହୋଇଯାଇଛି। ସେ ଜେଲରେ ଥିଲା ଓ ଆଗକୁ ମଧ୍ୟ ଜେଲରେ ରହିବ। ଏହି ମାମଲାରେ ଅଧିକ ପ୍ରମାଣ ପାଇଁ ଅନେକଙ୍କୁ ପଚରାଉଚୁରା କରାଯିବ। କୋର୍ଟ ମଧ୍ୟ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଯେଉଁ ଜିନିଷ ସେମାନେ ଲୁଟ୍‌ ସେସବୁକୁ କିପରି ଉଦ୍ଧାର କରାଯିବ, ଏନେଇ ପ୍ରୟାସ ଚାଲିଛି। 
-ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି

ତେବେ ଲୁଟରେ ନାରାୟଣ ଦ୍ୱାରା ଆକ୍ରମଣର ଶୀକାର ହୋଇ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିବା ପତ୍ନୀ ତୁଳସୀ ଦେଇଙ୍କ ସ୍ୱାମୀ ଏବେ ଏକୁଟିଆ। ଘରେ କେହି ନଥିବାରୁ ସବୁବେଳେ ନିଜକୁ ଅସୁରକ୍ଷିତ ମନେ କରିବା ସହ ଏଭଳି ଅପରାଧୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି।

You might also like