‌ଆଗକୁ ଆସିପାରେ ନୂଆ ନିୟମ, ଅମାନିଆ ଗାଡ଼ି ଚାଳକଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ରାସ୍ତାରେ ଭିଡ଼ ପାଇଁ ନୁହେଁ, ବରଂ ବେପରୁଆ ଗାଡ଼ି ଚାଳନାରୁ ଘଟୁଛି ସଡ଼କ ଦୁର୍ଘଟଣା। ଏଥିପାଇଁ ଆମକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଚିନ୍ତା କରି ଟ୍ରାଫିକ୍ ନିୟମ ପାଳିବାକୁ ହେବ। କାରଣ ନିୟମ ପାଳନ ନକରିବା ଅସ୍ୱାଭାବିକ ଘଟଣା। ଆଜିଠୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ମାସ ଅବସରରେ ଓଟିଭିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଟୁଇନସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ସାଧାରଣତଃ ଲୋକଙ୍କ ଭିତରେ ବାଇକ୍ କିମ୍ବା କାର୍ ଡ୍ରାଇଭ୍ କରିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଫଳରେ ଶାରୀରିକ ସମସ୍ୟାଠୁ ଆରମ୍ଭ କରି ଟ୍ରାଫିକ୍ ସମସ୍ୟା ଯାଏଁ ମୁଣ୍ଡ ଟେକୁଛି। ତେଣୁ ଆମେ ଅନ୍ତତଃ ଆଖପାଖକୁ ଯିବାର ଥିଲେ ଚାଲି ଚାଲି କିମ୍ବା ସାଇକେଲ୍ ବ୍ୟବହାର କରିବାର ଆବଶ୍ୟକତା ରହିଥିବା କହିଛନ୍ତି ସିପି। ଏହାଦ୍ୱାରା ଅନେକ କ୍ଷେତ୍ରରେ ସୁଫଳ ମିଳିପାରନ୍ତା ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଟୁଇନ୍ସିଟିର ରାଜରାସ୍ତା ଗୁଡ଼ିକରେ ଆଗକୁ ଧାଡ଼ିକିଆ ଗାଡ଼ି ଚାଳନା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସିପି କହିଛନ୍ତି।

ଆମେ ଆଇନ୍‌କୁ କଡ଼ାକଡ଼ି କରୁଛୁ, ଜୋରିମାନା ବଢାଉଛୁ, ତଥାପି ଲୋକ ସଟେତନ ହେଉନାହାନ୍ତି। ତେଣୁ ସବୁ ଲୋକଙ୍କୁ ଅଧିକ ସଚେତନ କରିବାକୁ ସବୁ ରାଜ୍ୟର ସରକାର ମାନେ ଚେଷ୍ଟା କରୁଛନ୍ତି। ନିୟମ ନ ମାନିବା ଏକ ସ୍ୱାଭାବିକ ଘଟଣା ନୁହେଁ, ଏହା ଆମକୁ ମାନିବାକୁ ପଡ଼ିବ। ଯଦି ଆମେ ସ୍ୱାଭାବିକ ବାବେ ନିୟମ ମାନିବା ନାହିଁ ତାହା ହେଲେ ଅସ୍ୱାଭାବିକ ଘଟଣା ଘଟିବ। କଟକ-ଭୁବନେଶ୍ୱର ରାସ୍ତାରେ ଧାଡ଼ିକିଆ ଗାଡ଼ିଚାଳନା ନେଇ ଆମେ କେନ୍ଦ୍ର ପରିବହନ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛୁ।  ଏହି ପ୍ରକ୍ରିୟା ଆଗାମୀ ୨-୩ ମାସ ଭିତରେ ଆରମ୍ଭ କରିବା ପାଇଁ ଆଶା ରଖିଛୁ। ନିକଟ ସ୍ଥାନକୁ ଯାଉଥିଲେ ଗାଡ଼ି ବ୍ୟବହାର ନକରି ସାଇକେଲ କିମ୍ବା ପାଦରେ ଚାଲି ଚାଲି ଯାଆନ୍ତୁ। ଏହାଦ୍ୱାରା ଆମେ ଶରୀର ସୁସ୍ଥ ରହିବା ସହ ଟ୍ରାଫିକ ସମସ୍ୟା ମଧ୍ୟ କମିପାରିବ।
-ସୁଧାଂଶୁ ଷଡଙ୍ଗୀ, ପୋଲିସ କମିଶନର 

ଏପଟେ ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ ଇଣ୍ଚେଲିଜେଣ୍ଟ କ୍ୟାମେରା ସିଷ୍ଟମ। ମିଳିଥିବା ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି ଲଗାଯିବ। ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଲାଗିବ ଏହି କ୍ଲୋଜ୍ ସର୍କିଟ କ୍ୟାମେରା। ଯାହା ଦ୍ରୁତଗତିରେ ଯାଉଥିବା ଚାଳକ ଏବଂ ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରିବ।

ସେହିପରି ସମସ୍ତ ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଏହାକୁ କଡାକଡି କରିବାକୁ ଭେହିକିଲ୍ ଲୋକେସନ ଟ୍ରାକିଂ ସିଷ୍ଟମ ଲାଗୁ କରାଯିବ। ଫଳରେ ଗାଡିର ଲୋକେସନ ଏବଂ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖିବା ସହଜ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ କମିଶନର କହିଛନ୍ତି।

You might also like