ସଡ଼କ ସୁରକ୍ଷା ମାସ : ଦୁର୍ଘଟଣା ରୋକିବାକୁ ନୂଆ ପ୍ରୟାସ

ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ପୂର୍ବରୁ ସପ୍ତାହେ ବ୍ୟାପୀ ଚାଲୁଥିବା ଏହି କାର୍ଯ୍ୟକ୍ରମ ଏଥର ମାସେ ଯାଏଁ ଚାଲିବ। ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ଗାଡି ଚାଳନା ନେଇ ଲୋକଙ୍କୁ ସଚେତନ କରିବା ଏବଂ ଦୁର୍ଘଟଣା କମାଇବା। ପ୍ରତିବର୍ଷ ଏଭଳି ଗଣ୍ଡା ଗଣ୍ଡା କାର୍ଯ୍ୟକ୍ରମ କରାଯାଉଛି। ହେଲେ ଦିନକୁ ଦିନ ବଢି ଚାଲିଛି ସଡକ ଦୁର୍ଘଟଣା ଓ ସେଥିଜନିତ ମୃତ୍ୟୁ ସଂଖ୍ୟା ବି। ଖାସ୍ କରି ଏବେ ପିକନିକ୍ ଋତୁରେ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ପଟେ ବେପରୁଆ ଗାଡି ଚାଳନା, ଅନ୍ୟପଟେ ଶୋଚନୀୟ ହୋଇପଡିଥିବା ରାସ୍ତା, ଦୁର୍ଘଟଣା ପାଇଁ ଯେପରି ବାଟ କଢାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ମଝି ରାସ୍ତାରେ ଓଲଟି ପଡୁଛି ପିକନିକ ବସ୍। ଗଜପତି-ରାୟଗଡା ସୀମାନ୍ତ ପାହାଡ ଘେରା ଘାଟି ରାସ୍ତା। ଆଉ ତା’ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଛି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଥିବା ବସ। ତେବେ ଗାଡିଟି କୋରାପୁଟର ଗୁପ୍ତେଶ୍ୱର ବୁଲି ଭୁବନେଶ୍ୱର ଫେରୁଥିବା ବେଳେ ରାସ୍ତା ଉପରେ ଭାରସାମ୍ୟ ହରାଇ ପିକନିକ୍ ବସ୍ଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ହିଁ ଜଣେ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା। ଆଉ ୧୨ ଜଣ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଏଠି ବେପରୁଆ ଗାଡ଼ି ଚାଳନା ସହ ବିପର୍ଯ୍ୟସ୍ତ ରାସ୍ତା ଦୁର୍ଘଟଣାର କାରଣ ସାଜିଛି। ପର୍ଯ୍ୟଟନସ୍ଥଳୀ ଭରା କନ୍ଧମାଳ ଜିଲ୍ଲାରେ ବି ବାରମ୍ବାର ଦୁର୍ଘଟଣା ଘଟୁଛି। ଏଠି ଗାଡ଼ି ଚାଳକଙ୍କ ପାଇଁ ରାସ୍ତା କଡ଼ରେ ନା ସୂଚନା ଫଳକ ଅଛି ନା ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ବ୍ଲାକସ୍ପଟ୍ ଚିହ୍ନଟ କରାଯାଉଛି ?ଫଳରେ କେବଳ ଭାଷଣବାଜି ଭିତରେ ରହିଯାଇଛି ସଡ଼କ ସୁରକ୍ଷା।

ଏପଟେ ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ ଇଣ୍ଚେଲିଜେଣ୍ଟ କ୍ୟାମେରା ସିଷ୍ଟମ। ମିଳିଥିବା ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି ଲଗାଯିବ। ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଲାଗିବ ଏହି କ୍ଲୋଜ୍ ସର୍କିଟ କ୍ୟାମେରା। ଯାହା ଦ୍ରୁତଗତିରେ ଯାଉଥିବା ଚାଳକ ଏବଂ ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରିବ। ସେହିପରି ସମସ୍ତ ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଏହାକୁ କଡାକଡି କରିବାକୁ ଭେହିକିଲ୍ ଲୋକେସନ ଟ୍ରାକିଂ ସିଷ୍ଟମ ଲାଗୁ କରାଯିବ। ଫଳରେ ଗାଡିର ଲୋକେସନ ଏବଂ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖିବା ସହଜ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ କମିଶନର କହିଛନ୍ତି।

ଜାତୀୟ ସଡ଼କ ସୁରକ୍ଷା ମାସର ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସହରରେ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ ହୋଇଛ॥ ଏହି ରଥ ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ଟ୍ରାଫିକ ନିୟମ ପାଳନ ନେଇ ସଚେତନ କରିବ ବୋଲି ଜଣାଯାଇଛି। ସେହିପରି ଉଦଘାଟିତ ହୋଇଛି କୁଇକ ରେସପନ୍ସ ଗାଡି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେବାକୁ ଗାଡିରେ ରହିଛି ଅମ୍ଲଜାନ ଏବଂ ଜରୁରୀ ସାମଗ୍ରୀ। ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ଏତେ ସଚେତନତା ଦୁର୍ଘଟଣାକୁ କେତେ ଦୂର ଅଟକାଇ ପାରୁଛି।

ଭୁବନେଶ୍ୱରରୁ ଆଲୋକ ମହାନ୍ତି, ଅତୁଲ୍ୟ ବାଉତ, କଟକରୁ ଦେବାଶିଷ ମହାନ୍ତି, ମୋହନାରୁ ମିହିର ଜତିଙ୍କ ସହ ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ।

You might also like