କେମିତି ଚାଲିଛି ସରକାରଙ୍କ ଗାଁ ବିକାଶ ଅଭିଯାନ ?

ଶୀତଳ ଭଣ୍ଡାରରେ ୧୪୨ ଅପହଞ୍ଚ ଗାଁକୁ ରାସ୍ତା ନିର୍ମାଣ ଯୋଜନା

ଭୁବନେଶ୍ୱର : ଉପାନ୍ତରୁ ଉପକୂଳ। ବାଲେଶ୍ୱରରୁ–ନବରଙ୍ଗପୁର। ଜନନୀ ଯନ୍ତ୍ରଣାର ଦୟନୀୟ ଚିତ୍ର ଏବେ ସବୁଠି ସବୁଦିନିଅା ହୋଇଗଲାଣି। ବାଲେଶ୍ୱର ସହରରୁ ଅଳ୍ପ ଦୂର ପୋଖରୀସାହି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ଦିନ ତଳେ ଏହି ପାଣି କାଦୁଅ ଭରା ଅଣଓସରିଅା ରାସ୍ତାରେ ଖଟିଅାରେ ଭାର କରି ଜଣେ ପ୍ରସୂତିଙ୍କୁ ହସ୍ପିଟାଲ ନେଲାବେଳେ ବାଟରେ ଜନ୍ମ ନେଇଥିଲା ଶିଶୁକନ୍ୟା।

ସେହିପରି ନବରଙ୍ଗପୁର ଝରିଗାଁ ବ୍ଲକର ମଇନାପଦର ଗାଁକୁ  ଯାଇଥିବା ରାସ୍ତା ଖାଲ- ଢିପ ଅଙ୍କା ବଙ୍କା ରାସ୍ତାରେ ଅାମ୍ବୁଲାନସ ତ ଦୂରର କଥା ଦୁଇ ଚକିଅା ଯାନଟିଏ ବି ଯିବା କଷ୍ଟକର। ରାୟଗଡ଼ା କଲ୍ୟାଣସିଂପୁର କୁମୁଟିମୁଣ୍ଡ ଗାଁକୁ ବି ନାହିଁ ନିତିଦିନିଅା ରାସ୍ତା।  ବିଲ ଭିତରେ ହିଡ଼ରାସ୍ତାରେ ଯିବାକୁ ପଡ଼େ ଗାଁକୁ।

ଅପହଞ୍ଚ ଇଲାକାରେ ବିକାଶର ସ୍ୱପ୍ନ ଦେଖାଇବାକୁ ସରକାର ଦୁଇବର୍ଷ ତଳେ ଅାରମ୍ଭ କରିଥିଲେ ଯୋଜନା। ଉପାନ୍ତ ନଗଡା ପରି ରାସ୍ତା ନଥିବା ଗାଁକୁ ଠାବ କରି ରାସ୍ତା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୪୨ଟି ଅପହଞ୍ଚ ଗାଁକୁ ଏଥିରେ ଚିହ୍ନଟ କରାଯାଇଥିଲା। ତେବେ କାମ କେଉଁ ବିଭାଗ କରିବ, ତାକୁ ନେଇ ବି ରହିଛି କେଁ। କାରଣ ଏହି ରାସ୍ତା ପାଇଁ ଥିବା ୫୦ କୋଟି ଟଙ୍କା ଏବେ ଅଛି ପଞ୍ଚାୟତିରାଜ ବିଭାଗ ପାଖରେ। ତେବେ କାମ କରିବ ଗ୍ରାମ୍ୟ ଉନ୍ନୟନ ବିଭାଗ। ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏ ନେଇ ଚିଠି ଲେଖି ସରକାରୀ ଗ୍ରୀନ୍ ସିଗନାଲକୁ ଅପେକ୍ଷା କରିଛନ୍ତି।

ଉପାନ୍ତ ଯୋଜନାରେ ଚିହ୍ନଟ ୧୪୨ଟି ଅପହଞ୍ଚ ଗାଁରୁ ୬୯ଟି ଗାଁକୁ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ  ଫିଜିବିଲଟି ରିପୋର୍ଟ ପ୍ରସ୍ତୁତ କରିଛି। ତେବେ ୪୬ଟି ଗାଁ ରାସ୍ତା ପାଇଁ ଜଙ୍ଗଲ ବିଭାଗର ଅନୁମତି ବାଧକ ସାଜିଛି। ବାକି ୧୯ ଟି ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଓ ୮ ଟି ଗାଁକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରୁ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି।

You might also like