ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି ଓ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାରେ କମିଛି ଦୁର୍ଘଟଣା

ଭୁବନେଶ୍ୱର: ଦେଶରେ ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ସହ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା କମିଥିବା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଦୁର୍ଘଟଣା ହାର ୯.୯୩ ପ୍ରତିଶତ ଓ ମୃତ୍ୟୁ ହାର ୧୨.୨୯ ପ୍ରତିଶତ କମିଥିବା ମନ୍ତ୍ରୀ କହିଛନ୍ତି।

୨୦୧୮ ସେପ୍ଟେମ୍ବରରୁ ଡିସେମ୍ବର ମାସ ତୁଳନାରେ ପ୍ରାୟ ୧୦ ପ୍ରତିଶତ ଦୁର୍ଘଟଣା ହାର କମିିଛି। ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୩ ହଜାର ୫୭୩ ଦୁର୍ଘଟଣା ହୋଇଥିବା ବେଳେ ୧୬ ଶହ ୩୫ ଜଣଙ୍କ ମୃତ୍ୟୁ ଓ ୩ ହଜାର ୯୧୦ଜଣ ଆହତ ହୋଇଥିଲେ।

ତେବେ ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ୨୦୧୯ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୩,୨୧୮ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ୧,୪୩୪ ଜଣଙ୍କ ମୃତ୍ୟୁ ଓ ୩,୩୩୦ଜଣ ଆହତ ହୋଇଛନ୍ତି।

ସେହିପରି ଗତବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୩,୦୫୮ ଦୁର୍ଘଟଣା ହୋଇଥିଲା। ଏଥିରେ ୧,୫୮୦ ଜଣଙ୍କ ମୃତ୍ୟୁ ଓ ୩,୨୩୩ ଜଣ ଆହତ ହୋଇଥିଲେ।

କିନ୍ତୁ ଚଳିତ ବର୍ଷ ଦୁର୍ଘଟଣା ହାର କମିଛି। ୨୦୨୦ ଜାନୁଆରୀରୁ ମାର୍ଚ୍ଚ ଯାଏ ୨,୮୮୧ ଦୁର୍ଘଟଣା ହୋଇଥିଲା। ଏଥିରେ ୧,୩୫୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨,୮୮୨ଜଣ ଆହତ ହୋଇଥିଲେ।। ଲକ୍‌ଡାଉନ୍‌ରେ ବି ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଦୁର୍ଘଟଣା କମିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like