ଲକ୍ଷଣ ନଥିଲେ ବି ଟେଷ୍ଟିଂ କରାନ୍ତୁ, ନିୟମ ନମାନିବାରୁ ଦ୍ୱିତୀୟ ଲହର ଅଧିକ ଭୀଷଣ ହେଉଛି

ଭୁବନେଶ୍ୱର: ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ରହିଥାଏ। ଏନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ଼ ନିୟମ ମାନିବାରେ ସଂଜମତା ଓ ସତର୍କତା ଅବଲମ୍ବନ ନକରିବାରୁ କରୋନାର ଏହି ଦ୍ୱିତୀୟ ଲହର ଅଧିକ ଭୀଷଣ ହେଉଛି।

ଯଦି ଜଣେ ବ୍ୟକ୍ତି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ବୋଲି ଭାବୁଛନ୍ତି, ତେବେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଏହାସହ ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେସନରେ ରଖନ୍ତୁ ବା କାହା ସହ ମିଳାମିଶା କରନ୍ତୁ ନାହିଁ। କାରଣ ଏହି ସାମାନ୍ୟ ଅବହେଳା କାହାର ଜୀବନ ମଧ୍ୟ ନେଇପାରେ। ତେଣୁ ସମସ୍ତେ ସତର୍କ ରହିବା ଓ ସଚେତନ ରହିବା ଆବଶ୍ୟକ। ସଚେତନ ରହିଲେ ହିଁ କରୋନା ସହ ଲଢ଼େଇରେ ବିଜୟ ହୋଇପାରିବା ବୋଲି କହିଛନ୍ତି ଶ୍ରୀମତି ପତି।

କରୋନା ନେଇ କୌଣସି ଲକ୍ଷଣ ଦେଖାଗଲେ ମଧ୍ୟ ତୁରନ୍ତ ଟେଷ୍ଟ କରାଇବା ଉଚିତ୍। ନଚେତ ଅତି ବେଶିରେ ୪/୫ ଦିନ ଭିତରେ ଟେଷ୍ଟ କରିବକୁ ହେବ। ଯଦି ଲକ୍ଷଣ ୪-୫ ଦିନ ପର୍ଯ୍ୟନ୍ତ ରହିଲା ତେବେ ନିଶ୍ଚିତ ଟେଷ୍ଟ କରାନ୍ତୁ। ରିପୋର୍ଟ ଆସିବା ଯାଏଁ ନିଜକୁ ଆଇସୋଲେସନରେ ରଖିବା ସମୟରେ ମଧ୍ୟ ମାସ୍କ ବ୍ୟବହାର କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଟିକା ନେଇଥିଲେ ମଧ୍ୟ ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ମଧ୍ୟ ନିଜର କରୋନା ଟେଷ୍ଟ କରାଇ ନେବା ଆବଶ୍ୟକ। ଗୋଟିଏ ପରିବାରର ସମସ୍ତ ଲୋକ ପଜିଟିଭ ଥିଲେ ଏକାଠି ରହିପାରିବେ, କିନ୍ତୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବାକୁ ହେବ। ନଚେତ ସ୍ଥିତି ଭୟାବହ ହେବାର ସମ୍ଭାବନା ରହିଛି ବୋଲି ଚେତେଇ ଦେଇଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।

ସେପଟେ ଭୁବନେଶ୍ୱରରେ ସଂକ୍ରମଣ ବଢ଼ିଚାଲିଛି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚାନ୍ଦ ଚୌଧୁରୀ। ସେ କହିଛନ୍ତି ‘ଭୁବନେଶ୍ୱରରେ ସଂକ୍ରମଣ ବଢ଼ିଚାଲିଛି, ହେଲେ ଲୋକେ ତଥାପି ସଚେତନ ହେଉନାହାନ୍ତି। ଲୋକ ସହଯୋଗ ନକଲେ କିମ୍ବା ନିୟମ ନମାନିଲେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ।’ ଏହାସହ ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ବ୍ରେକ ଦେବା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି ପ୍ରଶାସନ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

କରୋନା ସମୟରେ ସ୍ୱାସ୍ଥ୍ୟସେବା ଓ ହସ୍ପିଟାଲରେ ବେଡ ସଂଖ୍ୟାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର। ସେ କହିଛନ୍ତି, ‘ ଏବେ ଆମ ପାଖରେ ୩ ହଜାର ବେଡ୍ ରହିଛି, ଆଗାମୀ ୧୦ ଦିନ ମଧ୍ୟରେ ଆଉ ୩ ହଜାର ବେଡ ବ୍ୟବସ୍ଥା ବୃଦ୍ଧି କରାଯିବ। ୩ ହଜାରରୁ ୫୦ ପ୍ରତିତ ବେଡ୍ ଏବେ ଖାଲି ପଡ଼ିଛି। ୮୫ ପ୍ରତିଶତ କରୋନା ରୋଗୀ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। ଏବେ ଭୁବନେଶ୍ୱର ସ୍ଥିତି ନିୟନ୍ତ୍ରଣରେ ଅଛି। କିନ୍ତୁ ଆମେ ଖରାପ ସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ।

You might also like