ଦିନେ ନଦୀରେ ଭାସିଆସିଥିଲେ, ଏବେ ଶାଶୂଘରକୁ ଯିବେ

ବାହା ହେବେ ସୋନୀ

ଝାରସୁଗୁଡ଼ା: ଛତିଶଗଡ଼ରୁ ବଢି ପାଣିରେ ଭାସିଆସିଥିବା ଝିଅ ସୋନି ଯାଦବଙ୍କ ବାହାଘର ହେବାକୁ ଯାଉଛି। ୨୦୧୬ ସେପ୍ଟେମ୍ବର ୧୪ରେ ଚନ୍ଦ୍ରହାସିନୀ ଦେବୀ ପୀଠକୁ ଦର୍ଶନ ପାଇଁ ଆସିଥିବାବେଳେ ଗୋଡ଼ ଖସି ଯିବାରୁ ବଢିପାଣିରେ ଭାସି ଆସି ଝାରସୁଗୁଡା ଲଖନପୁର ବ୍ଲକରେ ଉଦ୍ଧାର ହୋଇଥିଲେ ସୋନି। ସେତେବେଳେ ନଦୀରୁ ମାଛ ମାରୁଥିବାବେଳେ ସୋନିଙ୍କୁ ଦେଖି ପାଣିରୁ ଉଦ୍ଧାର କରି ଘରକୁ ଆଣିଥିଲେ କୁସମେଲ ଗାଁର ସନ୍ନ୍ୟାସୀ କାଲୋ। ଚେତା ଫେରିବା ପରେ ସୋନି ନିଜ ପରିଚୟ ଦେବା ସହ ବାପମା ଛେଉଣ୍ଡ ବୋଲି କହିଥିଲେ। ଏହା ଜାଣିବା ପରେ ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ କାଲୋ।

୧୨ ଘଣ୍ଟା ଧରି ପାଣିରେ ଛତିଶଗଡ଼ରୁ ଜୀବିତ ଭାବେ ଭାସିଆସିବା ସେତେବେଳେ ଖୁବ୍ ଚର୍ଚ୍ଚା ହୋଇଥିଲା। ପାଂଚ ବର୍ଷ ତଳର ସେଇ ଛୋଟ ଝିଅ ସୋନି ଏବେ ବିବାହଯୋଗ୍ୟା ହୋଇଛି। ଆସନ୍ତା ୨୧ ତାରିଖରେ ସୋନିଙ୍କ ବାହାଘର ଧାର୍ଯ୍ୟ ହୋଇଥିବା ବେଳେ ତାଙ୍କୁ ଲାଳନପାଳନ କରିଥିବା ପିତାମାତା ଖୁବ୍ ଖୁସି ଅଛନ୍ତି। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ କନ୍ୟା ଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି।

ସୋନୀ କହିଛନ୍ତି, ନଦୀକୁ ଯାଇଥିବା ବେଳେ ମୋର ଗୋଡ଼ ଖସିଯାଇଥିଲା। ପରେ ମୁଁ ପାଣିରେ ଭାସିଯାଇଥିଲି। କିନ୍ତୁ କେମିତି ଭାସିଯାଇଥିଲି ତାହା ମତେ ଜଣାନାହିଁ ବୋଲି ସୋନି କହିଛନ୍ତି। ଏମିତି କି ନଦୀରେ ଭାସିଯିବା ବେଲେ ମୁଁ ଚେତା ହରାଇଥିବା ସୋନି କହିଛନ୍ତି। ସକାଳୁ ଯେଉଁ ସମୟରେ ମୋର ଚେତା ଆସିଥିଲା ସେତେବେଳେ ଜାଣିଥିଲି କି ମୁଁ ଓଡ଼ିଶାରେ ପହଞ୍ଚିଛି। ମତେ ଉଦ୍ଧାର କରିଥିବା ଲୋକଙ୍କୁ ନିଜ ବାପା ଓ ମାଆ ଭାବିଲି। ସେମାନଙ୍କ ସ୍ନେହ ମତେ ବାନ୍ଧି ରଖିଥିଲ ଓ ମୁଁ ତାଙ୍କ ପାଖରେ ନିଜ ଇଚ୍ଛାରେ ବାନ୍ଧି ହୋଇ ରହିଥିଲି ବୋଲି ସୋନି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ବାପା ଓ ମାଆ ମୋର ବାହାଘର କରିବା ଲାଗି ପ୍ରସ୍ତୁତି ହେଲେଣି। ଯାହାକୁ ନେଇ ମୁଁ ଖୁସୀ ଅଛି।

ସେପଟେ ସୋନୀଙ୍କ ବାପା କହିଛନ୍ତି ଯେ, ମୋର ଝିଅ ନଥିଲା ତିନୋଟି ପୁଅ ଥିଲେ। ତାକୁ ପାଇବା ପରେ ସମସ୍ତେ କହିଲେ ସୋନିକୁ ମୁଁ ନୂଆ ଜୀବନ ଦେଇଛି ବୋଲି। ତେବେ ମୁଁ ବି ତାକୁ ବହୁତ ଭଲପାଏ। ଏବେ ତାହାର ବାହାଘର ଠିକ୍‌ କରିଛି। ତାକୁ ଆନନ୍ଦରେ ବାହାଘର କରି ଶାଶୂ ଘରକୁ ପଠାଇବି ବୋଲି ସୋନିଙ୍କ ବାପା କହିଛନ୍ତି।

You might also like