କରୋନା ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

ଭୁବନେଶ୍ୱର: କରୋନା ମୃତ୍ୟୁହାର କ୍ଷେତ୍ରରେ ଆଗରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। ବିଭିନ୍ନ ରାଜ୍ୟଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କରିଥିବା ଆଲୋଚନା ବେଳେ ଏହି ଉଦବେଗଜନକ ତଥ୍ୟ ସାମନାକୁ ଆସିଛି। ଦେଶର ୮ଟି ରାଜ୍ୟର ୧୩ଟି ଜିଲ୍ଲାରେ ମୃତ୍ୟୁହାର ଜାତୀୟ ହାରଠାରୁ ଅଧିକ ରହିଛି। ଏହିସବୁ ଜିଲ୍ଲା ଭିତରେ ରହିଛି ଗଞ୍ଜାମ। ଏପଟେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାରେ ଏବେ ହୁହୁ ହୋଇ ମାଡୁଛି କରୋନା। ଏମିତିକି ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମକୁ ପଛରେ ଛାଡି ଦେଇଛି ଖୋର୍ଦ୍ଧା। ଏଥିଲାଗି ବିଏମସିର କୋଭିଡ୍ ପରିଚାଳନାଗତ ତ୍ରୁଟିକୁ ଓ୍ୱାର୍ଡ ସଚେତକମାନେ ଦୋଷ ଦେଇଥିବା ବେଳେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

ବିପଦରେ ଗଂଜାମ, କରୋନା ମୃତ୍ୟ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ଯଦିଓ ନୂଆ ଆକ୍ରାନ୍ତ ଚିହ୍ନଟ କ୍ଷେତ୍ରରେ ଜିଲ୍ଲାରେ ଡାଉନଓ୍ୱାର୍ଡ ଟ୍ରେଣ୍ଡ ରହିଛି,  କିନ୍ତୁ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି। ଆଜି ରାଜ୍ୟରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୬ ଜଣ ଗଞ୍ଜାମର ଜିଲ୍ଲାରେ। କରୋନା ମୃତ୍ୟୁ ହାର ଅଧିକ ଥିବାରୁ କେନ୍ଦ୍ର ସରକାର ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି।

ଦେଶର ୮ଟି ରାଜ୍ୟର ୧୩ଟି ଜିଲ୍ଲାରେ କରୋନା ମୃତ୍ୟୁ ହାର ଜାତୀୟସ୍ତର ଠାରୁ ଅଧିକ ରହିଛି। ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ଗଂଜାମ। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ରାଜ୍ୟ ପ୍ରତିନିଧିମାନଙ୍କ ଆଲୋଚନା ବେଳେ ଏହି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ଏଯାଏଁ ୨୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଂଜାମରୁ ଅଛନ୍ତି ୧୩୧। ସେହିପରି ଜିଲ୍ଲାରୁ ସର୍ବାଧିକ ୧୨ ହଜାର ୮୫୫  ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପଟେ କମ୍ ସଂଖ୍ୟକ ଟେଷ୍ଟ, ବିଳମ୍ବରେ ରିପୋର୍ଟ ଆସିବା, ଏବେ ଠିକ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଉନଥିବାରୁ ମୃତ୍ୟୁ ହାର ଅଧିକ ଥିବା କୁହାଯାଉଛି। ମୃତ୍ୟୁହାର ହ୍ରାସ ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି।

ଏପଟେ କିଛି ଦିନ ହେଲା ପଜିଟିଭ୍ ଚିହ୍ନଟ କ୍ଷେତ୍ରରେ ଗଞ୍ଜାମକୁ ବଳି ଯାଇଛି ଖୋର୍ଦ୍ଧା ଜିଲ୍ଲା। ଆଜିର ଦୁଇ ଜଣଙ୍କୁ ମିଶାଇ ଜିଲ୍ଲାରେ ଏଯାଏଁ  ୩୫ଜଣଙ୍କ ଜୀବନ ଗଲାଣି। ସେହିପରି ଆଜି ରାଜ୍ୟରେ ସର୍ବାଧିକ ୩୪୨ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି।  ତେବେ ଚିନ୍ତା ବଢାଇଛି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ। ପରିଚାଳନାଗତ ତ୍ରୁଟିରୁ ସଂକ୍ରମଣ ବ୍ୟାପୁଥିବା ଅଭିଯୋଗ ହେଉଛି।  ଅନ୍ୟପକ୍ଷରେ ସଂକ୍ରମଣ ବଢି ଚାଲିଥିଲେ ମଧ୍ୟ ଆଉ ସେମାନଙ୍କ ରିପୋର୍ଟକୁ ବିଏମସି  ଅଣଦେଖା କରୁଥିବା ଓ୍ୱାର୍ଡ ସଚେତକମାନେ ଅଭିଯୋଗ କରିଛନ୍ତି।

ଗଂଜାମ ଜିଲ୍ଲାରେ ଉଦବେଗଜନକ ମୃତ୍ୟୁହାର ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ। କୋଭିଡ ପରିଚଳାନରେ ସରକାର ସଂପୂର୍ଣ୍ଣ ଫେଲ୍ ମାରିଥିବା ଉଭୟ ଦଳ ଅଭିଯୋଗ କରିଛନ୍ତି। ଏନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ  ଓଡ଼ିଶାର ମୃତ୍ୟୁହାର କମ୍‌ ଅଛି, ଏହାକୁ ଆହୁରି କିପରି ରୋକାଯାଇପାରିବ, ଏନେଇ  କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କରିଥିବା ଆଲୋଚନା କରିଛନ୍ତି 

ରାଜ୍ୟରେ ବି ସଂକ୍ରମଣ ଥମିବାର ନାଁ ନେଉନି ନୂଆ ପଜିଟିଭ୍ ସଂଖ୍ୟା। ଦୈନଦ୍ଦିନ ଭିତ୍ତିରେ ବଢି ବଢି ଚାଲିଛି। ଆଜି ୧୭ ଶହ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ଥିବା ବେଳେ ମୋଟସଂଖ୍ୟା ୪୫ ହଜାର ୯୨୭କୁ ବୃଦ୍ଧି ପାଇଛି। ଟେଷ୍ଟ ବୃଦ୍ଧି ସହ ରୋଗୀଙ୍କୁ ଠିକ୍ ସମୟରେ ହସପିଟାଲରେ ଭର୍ତ୍ତି କରାଯିବା ବ୍ୟବସ୍ଥା ନହେଲେ ଆଗକୁ ସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କା କରାଯାଉଛି।

You might also like