କୁନିକୁନି ପିଲାଙ୍କ ଉପରେ ରହିଛି କାହାର ପିଶାଚ ନଜର ?

ଭୁବନେଶ୍ୱର: ଦିନେ ଯେଉଁ ପୁଅ କାନ୍ଧରେ ମଶାଣିକୁ ଯାଇଥାନ୍ତା ବାପା, ସେହି ପୁଅକୁ ଏବେ କାନ୍ଧେଇ ଛାତିଫଟା କୋହରେ ଭାଙ୍ଗିପଡ଼ିଛନ୍ତି ସେ। ମା ବି ଆଉ ଧୈର୍ଯ୍ୟ ଧରିବା ଅବସ୍ଥାରେ ନାହାଁନ୍ତି। ୩ ବର୍ଷର ପୁଅର ମୃତ୍ୟୁରେ ସତେ ଯେମିତି ପାଦତଳୁ ଧସିଯାଇଛି ମାଟି। ଢେଙ୍କାନାଳ ନିହଲପ୍ରସାଦ ଥାନା ଖଙ୍କିରା ଗାଁର ଚନ୍ଦନ ସାହୁଙ୍କ ପୁଅ କାଳିଆ। ଗତକାଲି ସଂଧ୍ୟାରୁ ହଠାତ୍ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଲି ପରେ ବି ପାଇଲେନି ପରିବାର। ଆଜି ସକାଳୁ ଘର ନିକଟ ଏକ କୂଅରୁ ମିଳିଲା କାଳିଆର ମରଶରୀର। ତେବେ କେମିତି ହେଲା କାଳିଆର ମୃତ୍ୟୁ, ତାକୁ ନେଇ ନାନା ପ୍ରଶ୍ନ ଛିଡ଼ାହୋଇଥିବାବେଳେ ପଡୋଶୀ ଦମ୍ପତିଙ୍କ ଆଡକୁ ଅଙ୍ଗୁଳି ଉଠାଇ ସିଧାସଳଖ ଅଭିଯୋଗ ଆଣିଛନ୍ତି ବାପା।

ଆଉ ଗଜପତି କାଶୀନଗର କୁମୁଟିସାହିର ହାର୍ଦ୍ଦିକର ଗତକାଲିଠୁ ପତ୍ତା ମିଳୁନି ତାର। ବାପାଙ୍କ ଅଭିଯୋଗ, ୨ ଅଜଣା ବ୍ୟକ୍ତି ବାଇକ୍‌ରେ ଆସିଲେ ଏବଂ ବାପା ଜାମ୍ମି ଗୋପୀଙ୍କ ସମ୍ପର୍କରେ ପଚାରିବାର ଆଳ କରି ତାକୁ ଧରି ନେଇଗଲେ। ଗୋପୀ ଜଣେ ବ୍ୟବସାୟୀ ହୋଇଥିବାରୁ ବ୍ୟାବସାୟିକ ଶତ୍ରୁତା କିମ୍ବା ଅର୍ଥଲୋଭରେ ୬ ବର୍ଷର ହାର୍ଦ୍ଦିକକୁ କେହି ଅପହରଣ କରିଥିବା ପୋଲିସ ଆଶଙ୍କା କରୁଛି।

କେବଳ କାଶୀନଗର ନୁହେଁ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଉପକଣ୍ଠ କୁକୁଡ଼ାହାଡ଼ ଗାଁର ଜଣେ ଦିନ ମଜୁରିଆ ବିନୋଦ ସରାଫଙ୍କ ୬ ବର୍ଷର ଝିଅ ସ୍ୱପ୍ନାର ଅବସ୍ଥା ବି ସେଇଆ। ୨୦୧୪ରେ ରାବଣପୋଡ଼ି ଦେଖିବାକୁ ଯାଇ ନିଖୋଜ ହୋଇଗଲେ ଯେ ଆଜିକୁ ୬ ବର୍ଷ ହେଲା କୌଣସି ସନ୍ଧାନ ମିଳୁନି। ଶେଷରେ ଏଭଳି ଅବସ୍ଥାରେ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର।

ସେହିପରି ଫୁଟବଲ ଖେଳିବାକୁ ଯାଇ କଣ୍ଟାବାଞ୍ଜି ଥାନା ତାଉଳସୁଖା ଗାଁର ଶ୍ରୀଜିତ ଭୋଇଙ୍କ ପୁଅ ଦେବରାଜ ବି ଗତ ଜାନୁଯାରୀ ୧୫ରୁ ନିଖୋଜ ହୋଇଯାଇଛି। ପୁଅକୁ ଖୋଜି ଆଣିବାକୁ ଏସପିଙ୍କଠୁ ଆରମ୍ଭ କରି ଅନେକ ଅଧିକାରୀଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ। ତଥାପି କୌଣସି ସନ୍ଧାନ ମିଳୁନି ଦେବରାଜର।

ଏନସିଇଆରବି ରିପୋର୍ଟ କହୁଛି, କେବଳ ଗତବର୍ଷ ରାଜ୍ୟରୁ ୪ ହଜାର ୩୧୫ ଶିଶୁ ଏଭଳି ନିଖୋଜ ହୋଇଛନ୍ତି ଅର୍ଥାତ୍ ଦିନକୁ ୧୨ ଜଣ ତେବେ କଣ ପାଇଁ ନିଖୋଜ ହେଉଛନ୍ତି, ତାର ନା କାରଣ ଖୋଜିପାରୁଛନ୍ତି ରାଜ୍ୟ ସରକାର ନା ଏଭଳି ସମ୍ବେଦନଶୀଳ ଘଟଣାକୁ ରୋକି ପାରୁଛନ୍ତି।

You might also like