୪ ବର୍ଷରେ ରାଜ୍ୟରେ ସାଢ଼େ ୬ ହଜାରରୁ ଅଧିକ ଶିଶୁ ନିଖୋଜ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ଶିଶୁ ନିଖୋଜ ଘଟଣା। ଗତ ୪ ବର୍ଷରେ ସାଢ଼େ ୬ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ଅଧାରୁ କମ୍ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରଖିଥିବା ଏହି ତଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ନୟାଗଡ଼ ଚାନ୍ଦପୁର ଅଞ୍ଚଳର ଜଣେ ୮ବର୍ଷୀୟା ନାବାଳିକା ଝିଅ ନିଖୋଜ ହୋଇଥିଲେ। ବହୁ ଖୋଜା ଖୋଜି କରିବା ପରେ ୧୩ ଦିନ ପରେ ଘରକୁ ଫେରିଛି କୁନି ଝିଅ। ନିଖୋଜ୍‌ ହେବା ନେଇ ପରିବାର ଲୋକ ଚାନ୍ଦପୁର ଥାନାରେ ଅଭିଯୋଗ କରିବା ପରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୁଲିସ।

ଖୋଳତାଡ଼ କରୁ କରୁ ଭୁବନେଶ୍ୱରରେ ମିଳିଥିଲା ନାବାଳିକାର ପତ୍ତା। ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ତାକୁ ଅପହରଣ କରିଥିବା ସିରିଏଲ୍ କିଡ୍‌ନାପର ଶଙ୍କରକୁ ବି ଧରିବାରେ ସଫଳ ହୋଇଛି। ଗତ ୭ ତାରିରେ ନାବାଳିକା ଜଣକ ଖେଳୁଥିବା ସମୟରେ ପଇସାର ଲୋଭ ଦେଖାଇ ଅଭିଯୁକ୍ତ ଶଙ୍କର ତାକୁ ଅପହରଣ କରି ଭୁବନେଶ୍ୱର ନେଇ ଆସିଥିଲା।

ଶଙ୍କର ନାଁରେ ବିଭିନ୍ନ ଥାନାରେ ୫ରୁ ଅଧିକ ଅପହରଣ ମାମଲା ରହିଛି। ଛୋଟ ଛୋଟ ପିଲାଙ୍କୁ ଅପହରଣ କରି ଶଙ୍କର ସେମାନଙ୍କୁ ଡରାଇ ଧମକାଇ ରେଳ ଷ୍ଟେସନ୍, ହସ୍‌ପିଟାଲ ଓ ଅନ୍ୟ ଜନଗହଳି ଅଞ୍ଚଳରେ ଭିକ ମଗାଉଥିବା ସ୍ୱୀକାର କରିଛି।

ଝିଅ ମିଳିବା ପରେ ନାବାଳିକା ପରିବାର ଲୋକ ଆଶ୍ୱସ୍ତ ହୋଇଛନ୍ତି। ତେବେ ପିଲା ହରାଉଥିବା ସବୁ ପରିବାର ଭାଗ୍ୟରେ ଏହା ଜୁଟୁନାହିଁ। ବହୁ ପରିବାର ନିଜ ପିଲାଙ୍କୁ ହରାଇ ଅତିଶୟ ମାନସିକ ଦୁଃଶ୍ଚିନ୍ତା ଓ ଦୁଃଖରେ ଦିନ କାଟୁଛନ୍ତି। ଏକ ତାରକା ପ୍ରଶ୍ନର ଉତ୍ତରରେ  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଯେଉଁ  ତଥ୍ୟ ରଖିଛନ୍ତି ସେଥିରେ ଯେ କେହି ବି ଚକିତ ହୋଇଯିବ।

ମନ୍ତ୍ରୀ ରଖିଥିବା ତଥ୍ୟାନୁସାରେ, ଗତ ୪ ବର୍ଷରେ ରାଜ୍ୟରୁ ୬ ହଜାର ୫ଶହ ୭୯ ଜଣ ଶିଶୁ ନିଖୋଜ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ମାତ୍ର ୩ ହଜାର ୩୦୩ ଶିଶୁଙ୍କୁ ଉଦ୍ଧାର କରାଯାଇପାରିଛି। ଅର୍ଥାତ ୫୦ ପ୍ରତିଶତରୁ ଅଧିକ ପିଲାଙ୍କ ଏଯାଏ ପତ୍ତା ମିଳିନାହିଁ। ମନ୍ତ୍ରୀଙ୍କ ଏହି ତଥ୍ୟ ଅପରେସନ ସ୍ମାଇଲ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତେବେ ପୁଲିସ୍ ବିଭାଗରେ କର୍ମଚାରୀ ଅଭାବକୁ ବିଶେଷଜ୍ଞ ଦାୟୀ କରିଥିବା ବେଳେ ନିଖୋଜ ଶିଶୁଙ୍କୁ ଉଦ୍ଧାର ଲାଗି ଏକ ସ୍ୱତନ୍ତ୍ର ଓ୍ୱିଙ୍ଗ୍ ଗଠନ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟରେ ଯେଉଁ ହାରରେ ଶିଶୁ ନିଖୋଜ ଘଟଣା ଘଟୁଛି, ଆଗକୁ ଯେ କେହି ବି ଏହାର ଶିକାର ହୋଇପାରନ୍ତି। ସେଥିଲାଗି ପିତାମାତା ଓ ପରିବାର ଲୋକ ସତର୍କ ରହିବା ନିହାତି ଜରୁରୀ ହୋଇପଡିଛି।

You might also like