ବ୍ରହ୍ମପୁରରେ ଆରମ୍ଭ ହେଉନି ରିଂରୋଡ଼ କାମ

ଶିଳାନ୍ୟାସକୁ ପୂରିଲା ୫ବର୍ଷ

ବ୍ରହ୍ମପୁର: ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ଦେଖୁ ଦେଖୁ ୫ବର୍ଷ ବିତିଲା । ହେଲେ ବ୍ରହ୍ମପୁରରେ ଆଜିଯାଏ ତିଆରି ହୋଇପାରିଲାନି ରିଂ ରୋଡ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାମ ଶେଷ ହୋଇନଥିବାରୁ ରିଂରୋଡ଼ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରିନାହିଁ । ଖୁବଶୀଘ୍ର ରାସ୍ତା କାମ  ଆରମ୍ଭ ହେବ ବୋଲି ପ୍ରଶାସନ କହୁଥିବାବଳେ ଏହାକୁ ନେଇ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ନିର୍ବାଚନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଅଣ୍ଟା ଭିଡିଲେଣି ସହରବାସୀ।.

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ବ୍ରହ୍ମପୁର । ପ୍ରତିଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ଭାରିଯାନ ଯାତାୟତ କରିଥାଏ। ଏଥିଲାଗି ସହରରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏଥିରୁ ନିସ୍ତାର ଲାଗି ୧୦ବର୍ଷ ପୂର୍ବରୁ ବିଡିଏ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା ରିଂ ରୋଡ଼ ଯୋଜନା । ବ୍ରହ୍ମପୁରର ଚାରିପଟେ ୪୬ କିଲୋମିଟରର ୪ ଥାକିଆ ରାସ୍ତା କରିବାକୁ ଯୋଜନା ହୋଇଥିଲା । ଏଥିଲାଗି ମୋଟ ୪୭୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।

ଜମି ଅଧିଗ୍ରହଣ ଲାଗି ୧୪୦ କୋଟି ଏବଂ ରାସ୍ତା ନିର୍ମାଣ ଲାଗି ଖର୍ଚ୍ଚ ହେବ ୩୩୫ କୋଟି ଟଙ୍କା । ପ୍ରକଳ୍ପରେ ରଘୁନାଥପୁରଠାରୁ ରତନପୁର ପର୍ଯ୍ୟନ୍ତ  ୧୩ କି.ମି. ରାସ୍ତା, ଦକ୍ଷିଣପୁରରୁ ଲାଠି ଦେଇ ହଳଦିଆପଦରକୁ ସଂଯୋଗ କରୁଥିବା ୧୫ କିମି ରାସ୍ତା ଏବଂ ମାଣ୍ଡିଆପଲ୍ଲୀ କରାପଲ୍ଲୀ ଫୁଲଟାକୁ ସଂଯୋଗ କରୁଥିବା ୧୭ କିଲୋମିଟର ରାସ୍ତା ରହିଛି ।

୨୦୧୩ରେ ରିଂ ରୋଡ୍ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଥିବା କଥା ସ୍ୱୀକାର କରିଛନ୍ତି ସ୍ଥାନୀୟ ବିଧାୟକ। ରିଂରୋଡ଼ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ , ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

ରିଂ ରୋଡ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବ୍ରହ୍ମପୁରରେ ଟ୍ରାଫିକ ନିୟନ୍ତ୍ରଣ ସହ ଦୁର୍ଘଟଣା ହାର ହ୍ରାସ ପାଇବ । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ରିଂରୋଡ଼ ପ୍ରକଳ୍ପକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଅଣ୍ଟା ଭିଡିଛନ୍ତି ପ୍ରମୁଖ ବିରୋଧୀ ଦଳ। ନିର୍ବାଚନରେ ଜିତିଲେ ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଆଗୁଆ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

You might also like