ଆରମ୍ଭ ହେଲା ରବି ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ରବିଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା। ଓ଼ଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ଗୋଡ଼ଭଗା ମାର୍କେଟ ୟାର୍ଡରେ କୋଭିଡ୍ କଟକଣା ଭିତରେ ଧାନ ସଂଗ୍ରହ କରାଯାଇଛି। ବରଗଡ ଜିଲ୍ଲାରେ ରବି ଋତୁ ଧାନ ବିକ୍ରି ପାଇଁ ୬୯ ହଜାର ୫୮୦ଚାଷୀ ପଂଜୀକରଣ କରିଛନ୍ତି। ଏଥର ମଧ୍ୟ ଟୋକନ ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଉଛି।

ପୂର୍ବରୁ ଧାନ ବିକ୍ରି ଲାଗି ଏକ ମାସ ଥିବା ଟୋକନ ଅବଧିକୁ ଏଥର ୧୫ ଦିନକୁ ହ୍ରାସ କରାଯାଇଛି। ଏହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଜଣେ ଚାଷୀ ଏକର ପ୍ରତି ୨୬ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ। ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲାରେ ୪୦ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅତାବିରା ବିଧାୟକ ସ୍ନେହାଙ୍ଗୀନ ଛୁରିଆ ଧାନସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଥିବାବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମେତ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

 

You might also like