ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେଉଛନ୍ତି ଶିକ୍ଷକ : ସହଜ ଓ ସରଳ ଭାଷାରେ ୨୧ ବର୍ଷ ଧରି ଶିଖାଉଛନ୍ତି ଗୀତା ଭାଗବତ

ସଙ୍ଗୀତ ଶିକ୍ଷକଙ୍କ ଶାଶ୍ୱତ ପ୍ରୟାସ

୨୧ ବର୍ଷ ଧରି ଆଧ୍ୟାତ୍ମିକ ଜ୍ଞାନ ବାଣ୍ଟୁଛନ୍ତି ପ୍ରମୋଦ ସାର୍

ସହଜ ଓ ସରଳ ଭାଷାରେ ଶ୍ଳୋକ ଓ ନୀତିଶିକ୍ଷା ବୁଝାନ୍ତି

ଗୀତା ପାଠ ଶୁଣିବାକୁ ଦୌଡ଼ି ଆସନ୍ତି ବହୁ ଛାତ୍ରଛାତ୍ରୀ

ଯାଜପୁର(ଗୁଲାମ ଗସ): କଥାରେ ଅଛି ଆଜିର ଶିଶୁ କାଲିର ନାଗରିକ । ଶିଶୁ ମାନେ ହିଁ ଦେଶର ଭବିଷ୍ୟତ। ହେଲେ ଆଧୁନିକ ଯୁଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୀତି ଶିକ୍ଷା ଓ ଆଧ୍ୟାତ୍ମିକ ଜ୍ଞାନର ଅଭାବ ଦେଖାଦେଉଛି । ଏହାର ପରିଣାମ ସମାଜକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ହେଲେ ଏହାର ସମାଧାନ ଦିଗରେ ନିଆରା ପ୍ରୟାସ ଜାରି ରଖିଛନ୍ତି ଯାଜପୁର ଜିଲ୍ଲାର ଜଣେ ପରିଣତ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ ।

 

ସାଧାରଣ ସ୍କୁଲ ଠାରୁ ପୂରା ଭିନ୍ନ।  ଶିକ୍ଷକଙ୍କ ମୁଣ୍ଡରେ ଚନ୍ଦନ ତିଳକ, ବେକରେ ଫୁଲ ମାଳ ପକାଇ ପିଲାଙ୍କୁ ପାଠ ପଢ଼ାନ୍ତି।  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ମୁଗପାଳ ଗାଁର ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ପ୍ରମୋଦ କୁମାର ଦାଶ । ନିୟମିତ ଭାବେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେଇ ଆସୁଛନ୍ତି ।  ଆଉ ପିଲାମାନେ ବି ପବିତ୍ର ମନରେ ଗୀତା ଓ ଅନ୍ୟ ଅଧ୍ୟାତ୍ମିକ ଜ୍ଞାନ ଗ୍ରହଣ କରି ବେଶ୍ ଖୁସି ହେଉଛନ୍ତି।

 

ପରିଣତ ବୟସରେ ପହଞ୍ଚିଲେଣି ପ୍ରମୋଦ ସାର୍,  ହେଲେ ତାଙ୍କର ଆଧ୍ୟାତ୍ମିକ ଶିକ୍ଷାଦାନ ଦୀର୍ଘ ୨୧ ବର୍ଷ ଧରି ନିୟମିତ ଜାରି ରହିଛି ।  ତାପୁଣି ବିନା କୌଣସି ପାରିଶ୍ରମିକରେ। ପ୍ରତି ଶନିବାର ଓ ରବିବାର ଗୀତା ପଢ଼ିବାକୁ ତାଙ୍କ ପାଖକୁ ଧାଇଁ ଆସନ୍ତି ଛାତ୍ରଛାତ୍ରୀ  । ଆଉ ସେମାନଙ୍କୁ ସଂସ୍କୃତ ଶ୍ଳୋକ ଓ ନୀତିଶିକ୍ଷାକୁ ଅତି ସହଜ ସରଳ ଭାଷାରେ ବୁଝାଇ ଦିଅନ୍ତି  ପ୍ରମୋଦ ସାର୍ । ଏହାଦ୍ୱାରା ପିଲାମାନେ ଶୃଙ୍ଖଳିତ ହେବା ସହ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ଶୁଦ୍ଧତା ଆସିବ ବୋଲି ତାଙ୍କର ବିଶ୍ୱାସ । ବହୁ ପୁରାତନ ଛାତ୍ର ଏବେ ବି ତାଙ୍କ ପାଖକୁ ଗୀତା ଶୁଣିବାକୁ ଆସୁଛନ୍ତି ।

 

You might also like