ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ବାଲେଶ୍ୱର: ଚାକିରିରୁ ଅବସର ପରେ ରାସ୍ତା କଡ଼ରେ ବସି ଯୋତା ପଲିସ କରୁଛନ୍ତି ଜଣେ ଅବସରପ୍ରାପ୍ତ ଏସ୍‌ପି ।କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ହେଲେ ସମ୍ପୂର୍ଣ୍ଣ ସତ୍ୟ।  ଆଉ କେଉଁଠି ନୁହେଁ, ବାଲେଶ୍ୱର ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି । ନାଁ ତାଙ୍କର ଉଜ୍ଜ୍ୱଲ କୁମାର ବ୍ରହ୍ମା। ଆହୁରି ଆଶ୍ଚର୍ଯ୍ୟର କଥା ସେ ସମ୍ପୂର୍ଣ୍ଣ ମାଗଣାରେ ଏହି କାମ କରୁଛନ୍ତି।

ଘଟଣାଟି ଏମିତି-

ବାଲେଶ୍ୱର ଏସ.ପି.ଙ୍କ କାର୍ଯ୍ୟାଳୟ ଆଗରେ ଥିବା ଓ.ଟି. ରୋଡ କଡ ରାସ୍ତାରେ ବସିଥିଲେ ଜଣେ ଭଦ୍ରଲୋକ। ସଫେଦ ପୋଷାକ। ଦେଖିଲେ ମନେହେବ ବେଶ ଭଦ୍ର ଆଉ ଶିକ୍ଷିତ। ହେଲେ ରାସ୍ତାକଡ଼ରେ ବସି ଜୋତା ପଲିସ କାହିଁକି କରୁଛନ୍ତି ? ତା ପୁଣି ମାଗଣାରେ ? ଗାନ୍ଧୀ ଜୟନ୍ତୀଠାରୁ ଏହି ଜାଗାରେ ଏହି ଭଦ୍ର ବ୍ୟକ୍ତିଙ୍କୁ ପ୍ରତିଦିନ ଦେଖି ଆସୁଥିଲେ ସହରବାସୀ।

କଥା ହେବା ପରେ ଜଣା ପଡିଥିଲା, ଏହି ଭଦ୍ର ବ୍ୟକ୍ତି ଜଣକ ହେଉଛନ୍ତି ଅବସରପ୍ରାପ୍ତ ଏସ୍‌ପି ଉଜ୍ଜ୍ୱଲ କୁମାର ବ୍ରହ୍ମା। ୨୦୧୦ ମସିହାରେ ବାଲେଶ୍ୱର  ଭିଜିଲାନ୍ସ ଏସ୍‌ପି ଭାବେ ଚାକିରିରୁ ଅବସର ନେଇଥିଲେ । ଏପରି ଜୋତା କାହିଁକି ପଲିସ୍‌ କରୁଛନ୍ତି ବୋଲି ପଚାରିବାରୁ ଯାହା କହିଲେ ତାହା ପ୍ରକୃତରେ ଥିଲା ଆଶ୍ଚର୍ଯ୍ୟଜନକ ଆଉ ଲଜ୍ଜାଜନକ ବି।

ଜୋତା ପଲିସର କାରଣ ପଚାରିବା କ୍ଷଣି ତାଙ୍କ ଭିତରୁ ଉଦ୍‌ଗୀରଣ ହୋଇଥିଲା କ୍ଷୋଭ ଆଉ ଅଭିଯୋଗର ଲାଭା। ସେ କହିଥିଲେ, ‘ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଥାନାରେ ବଡ଼ବାବୁ ଭାବେ କାମ କରି ଆସିଛି, ଲୋକଙ୍କୁ ନ୍ୟାୟ ଦେଇ ଆସିଛି। ହେଲେ ଆଜି ମୁଁ ନିଜେ ଅବସର ନେବା ପରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛି।’ ତେଣୁ ପୁଲିସ ବିଭାଗରେ ଥିବା କଳଙ୍କ ବା ଆବର୍ଜନା ସଫା କରିବା ପାଇଁ ସେ ଏପରି ଅଭିନବ ଢଙ୍ଗକୁ ଆପଣେଇଛନ୍ତି। ସେ ରାସ୍ତା କଡ଼ରେ  ’ମୁଫ୍‌ତ ପୁଲିସ ସେବା’ ଲେଖି ଲୋକଙ୍କ ଜୋତା ପଲିସ କରୁଛନ୍ତି।

ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। କହିଛନ୍ତି, ପୁଲିସବାବୁମାନେ କେହି ଟାଇମ୍‌ରେ ଅଫିସ ଆସୁନାହାନ୍ତି। ଅଭିଯୋଗ ନେଇ ଆସୁଥିବା ଲୋକଙ୍କଠାରୁ ଏତଲା ରଖୁ ନାହାନ୍ତି। ଏପରିକି ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ପ୍ରତି ପୁଲିସର ବ୍ୟବହାର ଏବେ ମଧ୍ୟ ବଦଳି ନାହିଁ ବୋଲି କହିଛନ୍ତି ଏହି  ଅବସରପ୍ରାପ୍ତ ଅଧିକାରୀ।

ଉଜ୍ଜ୍ୱଲ କୁମାର ବ୍ରହ୍ମାଙ୍କ ଘର ବାଲେଶ୍ୱର ସହରର ସହଦେବଖୁଣ୍ଟାରେ । ଗାନ୍ଧୀ ଜୟନ୍ତୀରୁ ସେ ଆରମ୍ଭ କରିଛନ୍ତି ତାଙ୍କର ଏହି ଅଭିନବ ପ୍ରୟାସ। ନିଜର ଦୈନନ୍ଦିନ କାମ ସରିବା ପରେ ଯେତେବେଳେ ଇଚ୍ଛା ହେଲା, ସେତେବେଳେ  କାହାକୁ କିଛି ନକହି ଘରୁ ବାହାରି ପଡ଼ନ୍ତି ଜୋତା ପଲିସ୍‌ ପାଇଁ । ହାତରେ ଥାଏ ଜୋତା ପଲିସ୍ ପାଇଁ ରଙ୍ଗ, ବ୍ରଶ୍‌ ଇତ୍ୟାଦି। ଯିଏ ଆସେ ମାଗଣାରେ ଜୋତା  ପଲିସ କରିବା ସହ ଏଇ କଥା କୁହନ୍ତି।  ତେବେ ଉଜ୍ଜ୍ୱଲଙ୍କ ଏପରି କାର୍ଯ୍ୟକୁ ସହରର  ବୁଦ୍ଧିଜୀବୀମାନେ ସମର୍ଥନ କରିବା ସହ ତାଙ୍କ କଥାର ଗୁରୁତ୍ୱ ଥିବା କହିଛନ୍ତି। 

ଆହୁରି ପଢ଼ନ୍ତୁ

ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

You might also like