୧୪ ଦିନ ଭିତରେ ବାହାରକୁ ଯାଇଥିଲେ ଆଇଟି ଫାର୍ମ ମନା
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ଆଜି ଟ୍ୱିନ୍ ସିଟିରେ ଥିବା ଆଇଟି ଫାର୍ମ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ବିଗତ ୧୪ ଦିନ ଭିତରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଅଫିସ୍ ଆସିବାକୁ ମନା କରାଯାଇଛି। ବାହାରୁ ଫେରିଥିବା କର୍ମଚାରୀ ୧୪ ଦିନ ଘରେ ରହି କାମ କରିପାରନ୍ତି।
ଯଦି କାମ କରିବାକୁ ଅସମର୍ଥ ତାହେଲେ କମ୍ପାନୀ ପକ୍ଷରୁ ଛୁଟି ଦିଆଯାଉ ବୋଲି ସିପି କହିଛନ୍ତି। ଏହାସହ ପରିବାର ସହ ବାହାରକୁ ଯାଇଥିଲେ କର୍ମଚାରୀ ୧୪ ଦିନ ଘରେ ରହିବାକୁ କହିଛନ୍ତି। କୌଣସି କର୍ମଚାରୀଙ୍କୁ ଜ୍ୱର, ଥଣ୍ଡା, କଫ ହେଉଥିଲେ ତାଙ୍କୁ ବି ଅଫିସ୍ ଆସିବାକୁ ମନା ହୋଇଛି।
ଏନେଇ ବିଧିବଦ୍ଧ ଭାବେ ଆଜିଠୁ ନିୟମ ଲାଗୁ ହୋଇଛି। ନିୟମ ନମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର କହିଛନ୍ତି।