କରୋନା ପାଇଁ ହାଇକୋର୍ଟରେ ଜାରି ହେଲା ଏମିତି କଟକଣା
କଟକ: କରୋନାକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଥିବାବେଳେ ଅଦାଲତରେ ବିଭିନ୍ନ ମାମଲାର ଶୁଣାଣି ନେଇ କଟକଣା ଜାରି କଲେ ଓଡ଼ିଶା ହାଇକୋର୍ଟ । କଟକଣା ଜାରି ହୋଇଥିବା ଖୋର୍ଦ୍ଧା, କଟକ, ଗଂଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସହ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର, ଯାଜପୁର ରୋଡ ଏବଂ ଭଦ୍ରକ ସହରରେ ଥିବା ଅଦାଲତଗୁଡିକ ପାଇଁ ଏହି କଟକଣା ଜାରି ହୋଇଛି ।
ଏହି ସବୁ ଜିଲ୍ଲା ଏବଂ ସହରରେ ଥିବା ଜିଲ୍ଲା ଦୌରା ଜଜ ଏବଂ ନିମ୍ନ ଅଦାଲତ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟାରେ ପର୍ଯ୍ୟନ୍ତ ଖୋଲିବ। ଏହି ସମୟରେ କେବଳ ଜରୁରୀ ମାମଲା ଶୁଣାଣି ହେବ। କୋର୍ଟ ଅପରାହ୍ନ ୧ଟାରେ ବନ୍ଦ ହେବ । ତେବେ ଅନ୍ୟ ସବୁ ଜିଲ୍ଲାରେ ଥିବା କୋର୍ଟ ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ।
ଶୁଣାଣିବେଳେ କୋର୍ଟ ଗୃହରେ କେବଳ ଦୁଇ ପକ୍ଷର ଓକିଲ ଉପସ୍ଥିତ ରହିବେ। ଏହାକୁ ଆଜିଠାରୁ ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ରେଜିଷ୍ଟ୍ରାର ଜେନେରାଲ ।
ସେହିପରି କରୋନା ପାଇଁ ହାଇକୋର୍ଟରେ ମଧ୍ୟ ଜାରି କରାଯାଇଛି କଟକଣା । ଏକ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି, ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିିତ ରଖାଯିବ। ଆସନ୍ତା ୩୧ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ହେବନାହିଁ ।
ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାରବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ହ୍ୱାଟ୍ସ ଆପ ଓ ଭିଡିଓ କଲ ଜରିଆରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ । ଆବଶ୍ୟକ ଅନୁସାରେ ରୋଟେସନ ଭିତ୍ତିରେ ଷ୍ଟାଫ ନିୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଠାରୁ ୩୧ ତାରିଖ ପଯର୍ୟନ୍ତ ନିର୍ଦ୍ଦେଶନାମା ଲାଗୁ କରିବାକୁ ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି।