ହୋଟେଲ୍ ଓ ରେଷ୍ଟୁରାଣ୍ଟ ଶିଳ୍ପ ମାନ୍ଦା: ଆସୁନାହାନ୍ତି ଗ୍ରାହକ
ଭୁବନେଶ୍ୱର: କରୋନା ପ୍ରଭାବରେ ରେଷ୍ଟୁରାଣ୍ଟ ଶିଳ୍ପକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।। ହୋଟେଲକୁ ଯାଇ ଖାଇବା ତ ଦୂରର କଥା ଲୋକେ ଅନ୍ଇନରେ ଅର୍ଡର ବି କରୁନାହାନ୍ତି। ଫଳରେ ସହର ବଡ଼ ବଡ଼ ରେଷ୍ଟୁରାଣ୍ଟଗୁଡ଼ିକ ବି ଖାଁ ଖାଁ ଲାଗୁଛି।
କରୋନା ସଂକ୍ରମଣ ଡର ଏମିତି ଘାରିଛି ଯେ, ଲୋକେ ହୋଟେଲରେ ଖାଇବାକୁ ନିରାପଦ ମଣୁ ନାହାନ୍ତି। ଯେଉଁ କେତେ ଜଣ ଗ୍ରାହକ ଆସୁଛନ୍ତି ସେମାନେ କେବଳ ନିରାମିଷ ଖାଇବାକୁ ପସନ୍ଦ କରୁଛନ୍ତି। ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ସହ ସାନିଟାଇଜରଠାରୁ ଆରମ୍ଭ କରି ଅନ୍ୟ ସବୁ ଆନୁସଂଗିକ ବ୍ୟବସ୍ଥା ସତ୍ତ୍ୱେ ଲୋକ ଆସୁନାହାନ୍ତି।
ଫଳରେ ମାନ୍ଦା ହୋଇଯାଇଛି ରାଜ୍ୟର ହୋଟେଲ ଶିଳ୍ପ। ତେବେ ସ୍ଥିତି କେବେ ସ୍ୱାଭାବିକ ହେବ ତାହା ବି କହିବା ମୁସ୍କିଲ୍। ଏହାକୁ ନେଇ ଚିନ୍ତାରେ ହୋଟେଲ ମାଲିକ। ଏମିତିକି ଅନଲାଇନ୍ ଅର୍ଡରର ଚାହିଦା ବି ନାହିଁ। ଶିକ୍ଷାନୁଷ୍ଠାନ, ହଷ୍ଟେଲ ଛୁଟି ଘୋଷଣା ହୋଇଥିବାରୁ ତାର ପ୍ରଭାବ ରେଷ୍ଟୁରାଣ୍ଟ ବ୍ୟବସାୟ ଉପରେ ପଡ଼ିଛି।
ଏପଟେ ରାଜ୍ୟର ଆଇଟି ଶିଳ୍ପ ଉପରେ ବି କୋରନା ପ୍ରଭାବ ପକାଇଛି। କିଛି କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ‘ଓ୍ୱାର୍କ ଫ୍ରମ୍ ହୋମ୍’ ବା ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭିଡିଓ ଓ ଟେଲି କନ୍ଫରେନସିଂ ଜରିଆରେ କର୍ପୋରେଟ୍ ମିଟିଂ ଆଦି କାମ ଚଳାଇ ନେଉଛନ୍ତି। ତେବେ ଓ୍ୱାର୍କ ଫ୍ରମ ହୋମ୍ ବ୍ୟବସ୍ଥା ନଥିବା ସଂସ୍ଥା ଅଡୁଆରେ ପଡ଼ିଛନ୍ତି। ଅଧିକାଂଶ ସଂସ୍ଥା କମ୍ ସଂଖ୍ୟାକ କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି। ତେବେ କାହାକୁ ଥଣ୍ଡା କାଶ ହେଲେ ତୁରନ୍ତ ଛୁଟିରେ ପଠାଇ ଦେଉଛନ୍ତି। ସେପଟେ ୧୪ ଦିନ ଭିତରେ ବିଦେଶରୁ ଆସିଥିବା ଆଇଟି ପ୍ରଫେସନାଲମାନେ ଅଫିସ୍ ନଆସିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ବ୍ୟାଙ୍କ ସେବା ଏବେ ସ୍ୱାଭାବିକ ଚାଲିଛି। ତେବେ କର୍ମଚାରୀ ଓ ଗ୍ରାହକଙ୍କ ଲାଗି ସତର୍କତା ବ୍ୟବସ୍ଥା ଗ୍ରହଣ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ବ୍ୟାଙ୍କରେ ଭିଡ଼ ନକରି ଅନ୍ଲାଇନ ଟ୍ରାଞ୍ଜାକ୍ସନ୍ ଉପରେ ଗୁରୁତ୍ୱ ଦିଆଯାଇଛି। ଏଟିଏମଗୁଡ଼ିକରେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସାନିଟାଇଜର ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।