କାଲିଠୁ କାଉଣ୍ଟରରେ ମିଳିବ ରିଜର୍ଭେସନ ଟିକେଟ, ଓଡ଼ିଶାରେ ଏସବୁ ଷ୍ଟେସନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଆସନ୍ତାକାଲିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ରିଜର୍ଭ ଟିକେଟ। ଏଥିସହ କମନ୍ ସର୍ଭିସ ସେଣ୍ଟର ଏବଂ ଏଜେଣ୍ଟଙ୍କ ଜରିଆରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିପାରିବ। ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ରିଜର୍ଭେସନ୍ କାଉଣ୍ଟର ଖୋଲିବାକୁ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ଜୋନାଲ୍ ରେଲେଓ୍ୱ ନେବେ। ଏହି ଅନୁସାରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ରୋଡ୍ ଡିଭିଜନର ୧୨ଟି ଷ୍ଟେସନରେ ରିଜର୍ଭେସନ୍ କାଉଣ୍ଟର ଖୋଲିବା ନେଇ ସୂଚନା ଦିଆଯାଇଛି।

ପଲାସା, ସୋମପେଟା, ଇଛାପୁରମ୍, ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଯାଜପୁର-କେଉଁଝର ରୋଡ, ଭଦ୍ରକ ଏବଂ ପୁରୀ ଷ୍ଟେସନର ଗୋଟିଏ ଲେଖାଏଁ ରିଜର୍ଭେସନ୍ କାଉଣ୍ଟର ଖୋଲିବ। ଏହା ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଏସବୁ ଷ୍ଟେସନର ରିଜର୍ଭେସନ୍ କାଉଣ୍ଟରରେ କେବଳ ନିର୍ଦ୍ଦିଷ୍ଟ ବର୍ଗର ନନ୍ କ୍ୟାସ୍ ପିଆରଏସ୍ ବା ଅଣ ନଗଦ ଟିକେଟ୍  ମିଳିବ।

ପାସଧାରୀ, ବିଧାୟକ, ସାଂସଦ, ସ୍ୱାଧିନତା ସଂଗ୍ରାମୀ, ଦିବ୍ୟାଙ୍ଗଜନଙ୍କ ୪ଟି ବର୍ଗ, ୧୧ଟି ବର୍ଗର ରୋଗୀଙ୍କ ପାଇଁ ଏହି ନନ୍ କ୍ୟାସ୍ ପିଆରଏସ୍ ଟିକଟ ଉପଲବ୍ଧ ହେବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏହି ଟ୍ରେନ୍ ପାଇଁ ସାଧାରଣ ଟିଟେକ୍ ଆଇଆରସିଟିସି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ଜରିଆରେ କିଣି ହେବ। ସେହିପରି ଏହି ସ୍ୱତନ୍ତ୍ର ଟ୍ରେନର କ୍ୟାନସେଲ୍ ଟିକେଟ୍ ପାଇଁ ରେଲେଓ୍ୱ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବ ବୋଲି ସୂଚନା ଦିଆଯାଇଛି।

You might also like