ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯାଉ-ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାର ସାମାଜିକ ତଥା  ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପଛୁଆ ବର୍ଗର ଲୋକଙ୍କର ଏକ ସର୍ଭେ ଆରମ୍ଭ କରିବାକୁ ଯାଉଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଧର୍ମେନ୍ଦ୍ର  କହିଛନ୍ତି, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।

ହେଲେ ତାଙ୍କ ଅନୁରୋଧ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।  ଦୀର୍ଘ ୩୦ ବର୍ଷ ଧରି ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଅଧିନରେ ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା ଥିଲେ ରହି ଆସିଛି। ହେଲେ ଓଡିଶାରେ  ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯାଉ ନାହିଁ।

ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଲାଗୁ କରାଯାଇଛି । ହେଲେ ଓଡ଼ିଶାରେ ଏହା ଲାଗୁ ହୋଇନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ତୁରନ୍ତ ସକରାତ୍ମକ ପଦକ୍ଷେପ ନିଅନ୍ତୁ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ସେପଟେ ଧର୍ମେନ୍ଦ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ସୌମ୍ୟରଂଜନ ପଟ୍ଟନାୟକ । ସେ କହିଛନ୍ତି ଆମର ଓବିସି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଚିହ୍ନଟ ହେବା ପରେ ସବୁ ଅଧିକାର ମିଳିଯିବ।

You might also like