ବିଧାନସଭାରେ ମହିଳାଙ୍କ ଲାଗି ସଂରକ୍ଷଣ ପ୍ରସ୍ତାବ: ବିରୋଧୀ କହିଲେ ଭୋଟ୍ ଭେଳିକି

ଭୁବନେଶ୍ୱର : ଭୋଟ ପୂର୍ବରୁ ମହିଳାଙ୍କ ପାଇଁ ସଂରକ୍ଷଣର ସଂକଳ୍ପ ଅାଣି ନବୀନ କହୁଛନ୍ତି ଦିନଟି ଐତିହାସିକ। କିନ୍ତୁ ପ୍ରଶ୍ନ ଉଠୁଛି ଐତିହାସିକ କେବଳ ଘୋଷଣାରେ ନା ଏହା ପଛରେ ରହିଛି ବାସ୍ତବତା। ଏକଥା ଖୋଦ୍‌ ନବୀନ ଜାଣିଛନ୍ତି। ବିଧାନସଭାରେ ସଂକଳ୍ପ ପାରିତ ହେଲେ ବି ଯେ ପର୍ଯ୍ୟନ୍ତ ସଂସଦରେ ଅାଇନ ଅାସିନି ସେ ପର୍ଯନ୍ତ ସଂକଳ୍ପ ମୂଲ୍ୟହୀନ। ତଥାପି ମହିଳାଙ୍କ ପାଇଁ ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣର ସଂକଳ୍ପ ଅାଣି ନବୀନ ଖେଳିଛନ୍ତି ମହିଳା କାର୍ଡ଼।

ତେବେ ବିଧାସନଭାର ସଂକଳ୍ପକୁ ଉଭୟ କଂଗ୍ରେସ ଓ ବିଜେପି ସ୍ୱାଗତ କରିଥିଲେ ବି ନବୀନଙ୍କ ଗୋଟି ପଛରେ ରାଜନୀତିର ଗନ୍ଧ ବାରିଛନ୍ତି। ବିଜେପି ଅଭିଯୋଗ କରିଛି, ରାଜ୍ୟରେ ବଢୁଥିବା ମହିଳା ହିଂସା ଓ ଦୁଷ୍କର୍ମ ଘଟଣା ପାଇଁ ସରକାରଙ୍କ ଉପରେ ମହିଳାଙ୍କ ଅାସ୍ଥା ତୁଟୁଥିବାରୁ ଭୋଟ ପାଇଁ ଛଳନାର ସଂକଳ୍ପ ଅାଣିଛନ୍ତି ନବୀନ।

ତଥ୍ୟ ଦେଇ ଦଳ କହିଛି, ୨୦୦୪ରେ ଦଳ ମାତ୍ର ୨ ଜଣ ମହିଳାଙ୍କୁ ଲୋକସଭା ପାଇଁ ଟିକେଟ ଦେଇଥିବା ବେଳେ ୨୦୦୯ରେ  କାହାକୁ ଦେଇ ନଥିଲା, ୨୦୧୪ରେ ୩ ଜଣଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ବିଧାନସଭା ପାଇଁ ୨୦୦୪ରେ ୪ ଜଣ, ୨୦୦୯ରେ ୮ ଜଣ ଓ ୧୪ରେ ୧୫ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ତେଣୁ ନିଜ ଦଳରେ ପ୍ରଥମେ ୩୩ ପ୍ରତିଶତ ଟିକେଟ ଦେଇ ନବୀନ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ବିଜେପି ଅାହ୍ୱାନ ଦେଇଛି। କଂଗ୍ରେସ ପ୍ରଶ୍ନ କରିଛି ସଂସଦରେ ଦଳ ଏ ପ୍ରସ୍ତାବ ଅାଣିବା ବେଳେ ବିଜେଡ଼ି  ଚୁପ୍‌ କାହିଁକି ଥିଲା।

୧୯୯୬ ମସିହାରେ ପ୍ରଥମେ ଏଚ୍‌ ଡି ଦେବ ଗୌଡା ମହିଳା ସଂରକ୍ଷଣ ବିଲ ଲୋକସଭାରେ ଅାଣିଥିଲେ। ପରେ ୯୮, ୯୯ ,୨୦୦୨ମସିହାରେ ମଧ୍ୟ ଏହି  ବିଲ୍ ଅାସିଛି। ସମ୍ବିଧାନର ୧୦୮ ସଂଶୋଧନ ପରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ଅାସିଥିବା ବିଲ୍ ୨୦୧୦ରେ ରାଜ୍ୟସଭାରେ ପାରିତ ହୋଇଥିଲେ ବି ଲୋକସଭାର ଅନୁମୋଦନ ମିଳିନି।

You might also like