ସୁରକ୍ଷା କରିଡର ଯୋଜନାରେ ବଳି ପଡ଼ିବ ରାଧାବଲ୍ଲଭ ମଠ !

ପୁରୀ: ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ପରମ୍ପରା ସହ ଠାକୁରଙ୍କ ୪୪ ପ୍ରକାର ସେବାରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରାଧାବଲ୍ଲଭ ମଠ। ଯାହାର ଏବେ ଉଚ୍ଛେଦ ପାଳି ପଡ଼ିଛି। ଠିକ୍ ସିଂହଦ୍ୱାର ସାମ୍ନାରେ ୧୭୩୭ ମସିହାରୁ ଦଣ୍ଡାୟମାନ ଏହି ଐତିହ୍ୟ ସମ୍ପନ୍ନ ମଠଟି ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା କରିଡ଼ର ଯୋଜନାରେ ଶେଷ ମଠ ଭାବେ ବଳି ପଡ଼ିବ। ଯାହାର ୯ ମିଟର ଚଉଡ଼ା ଓ ୬୦ ମିଟର ଲମ୍ବ ଯାଏଁ ଭଙ୍ଗା ଯିବାକୁ ସ୍ଥିର ହୋଇଛି। ଯାହାଫଳରେ ମାଟିରେ ମିଶିଯିବ ମଠର ବହୁ ପୁରାତନ ଝୁଲଣ ମଣ୍ଡପ ସାଙ୍ଗକୁ ପଂକ୍ତି ମଣ୍ଡପ। ତେବେ ମଠର ଗାଦି ଓ ପୂଜାସ୍ଥଳ କିନ୍ତୁ ସୁରକ୍ଷିତ ରହିବ। ମଠ ଭଙ୍ଗାଯିବାପରେ ବାକି ଥିବା ସ୍ଥାନରେ ଉତ୍କଳୀୟ ଶୈଳୀରେ ନିର୍ମାଣ କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଛି। ତେବେ ଏହି ମଠର ସମ୍ମୁଖ ଅଂଶରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀଙ୍କୁ ଉଚିତ୍ ଥଇଥାନ ପାଇଁ ଦାବି ହେଉଛି।

ଝୁଲଣ ଯାତ୍ରା ଓ ପଂକ୍ତି ମଣ୍ଡପ କେଉଁଠି ହେବ, ସେ ନେଇ ଚିନ୍ତା କରିବାକୁ ପଡୁଛି। ଆଗାମୀ ଦିନରେ ଉତ୍କଳୀୟ ଶୈଳୀରେ ମଠଗୁଡିକର ଉନ୍ନତିକରଣ କରାଯିବ ବୋଲି ସରକାର ଆଗରୁ ଘୋଷଣା କରିଛନ୍ତି। ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେଲା, ଯେମିତି ମନ୍ଦିରଗୁଡିକର ଉନ୍ନତି ହେଉଛି, ମଠ ଗୁଡିକର ପୁନଃଉଦ୍ଧାର କରାଯାଉ। 
-ରାମକୃଷ୍ଣ ଦାସ ମହାରାଜ, ମହନ୍ତ, ରାଧାବଲ୍ଲଭ ମଠ
୭୫ ମିଟର ଭିତରେ ଯେଉଁ ସବୁ ଅଞ୍ଚଳ ରହିଛି, ଯେଉଁ ମାନଙ୍କ ସମସ୍ୟା ରହିଛି, ତାହା ଆମେ ସମାଧାନ କରିବୁ। ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତେ ହାତ ବଢାଇଛନ୍ତି। 
-ଭବତାରଣ ସାହୁ, ଉପଜିଲ୍ଲାପାଳ, ପୁରୀ

ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ଲାଗି ଉଚ୍ଛେଦ କାର୍ଯ୍ୟ ଯେତିକି ଛିଡ଼ି ଛିଡ଼ି ଆସୁଛି, ଏହାକୁ ନେଇ ଶ୍ରେୟ ରାଜନୀତିର ପାରା ବି ସେତିକି ବଢି ଚାଲିଛି। ଗତ ୨୭ ତାରିଖରେ ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପ ପାରିତ ହୋଇଛି। ଯେଉଁଥିରେ ଯୋଜନାକୁ ନିଷ୍ଠାର ସହ ସମ୍ପୂର୍ଣ୍ଣ କରିବା ଏବଂ ଏଥିପାଇଁ ତ୍ୟାଗ କରିଥିବା ପ୍ରତ୍ୟକ ଓଡ଼ିଆ ଓ ପୁରୀବାସୀଙ୍କୁ ଧନ୍ୟବାଦ ପ୍ରସ୍ତାବ ବି ରହିଥିଲା। ତେଣେ ସେହିଦିନ ପୁରୀ ଗସ୍ତରେ ଯାଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ-ଅଭିଜ୍ଞତା ନଥିବା ଭୂମିପୂତ୍ର ଠିକା ସଂସ୍ଥାକୁ ନିର୍ମାଣ କାମ ଦିଆଯାଇଛି।

NMA ଏବଂ ASIର ଗାଇଡଲାଇନ୍ ଅନୁଯାୟୀ ସବୁ ଉନ୍ନତୀକରଣ କାର୍ଯ୍ୟ କରାଯାଉ। ତାସହ ମଠ, ମନ୍ଦିର ଓ ରଘୁନନ୍ଦନ ଲାଇବ୍ରେରୀର ପୁନରୁଦ୍ଧାର ପାଇଁ କି ପଦକ୍ଷେପ ନିଆଯାଇଛି, ସେକଥା ସରକାର ସ୍ପଷ୍ଟ କରିବାକୁ କହିଥିଲେ ଅପରାଜିତା। ତେଣେ ଗତକାଲି ପ୍ରଥମେ ଭୁବନେଶ୍ୱରରେ ଗଜପତି ମହରାଜଙ୍କ ସହ ଆଲୋନା ପରେ ପୁରୀ ସର୍କିଟ ହାଉସରେ ସେବାୟତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ।

କହିଥିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବିକାଶମୂଳକ କାର୍ଯ୍ୟ ଓ ଜାତୀୟ ଐତିହ୍ୟ ପ୍ରାଧିକରଣର ବାଇ-ଲକୁ ନେଇ କେତେଜଣ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି କହିଥିଲେ ପୁରୀର ବିକାଶ ପାଇଁ ମୋଦି ସରକାର ୧୭୫ କୋଟି ଟଙ୍କା ଦେଇଥିବା କହିବା ସହ ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଥିଲେ ଧର୍ମେନ୍ଦ୍ର ସେପଟେ ପୁରା ପ୍ରସଙ୍ଗରେ ମତରଖି କଂଗ୍ରେସ କହିଛି ମହାପ୍ରଭୁଙ୍କୁ ନେଇ ଶ୍ରେୟ ରାଜନୀତି ନହେଉ ଯାହାର ଜବାବ ବିଜେଡି ରଖିଛି।

ରିପୋର୍ଟ: ମଧୁସୂଦନ ମିଶ୍ର, ଅରିନ୍ଦମ ଦାଶ ଓ ଜଗଦୀଶ ଦାସ
You might also like