ବିଜେଡିକୁ ଟିକେଟ୍ ଟେନ୍‌ସନ୍

ଭୁବନେଶ୍ୱର: ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଅସନ୍ତୋଷ ବଢୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ଚୟନ ନେଇ ସେତିକି ବିବାଦ ସାମ୍ନାକୁ ଆସୁଛି। ବ୍ରଜରାଜନଗରର ବିଜେଡି ନେତା ଅନୁପ ସାଏଙ୍କ ବିରୋଧରେ ସ୍ଥାନୀୟ ନେତା ଓ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଅନୁପ ଏକଲା ଚଲୋ ନୀତିରେ ଚାଲିଛନ୍ତି। ପୁରୁଣା କର୍ମୀଙ୍କୁ ଅଣଦେଖା ସହ ଦଳ ବିରୋଧୀ କାମ କରୁଛନ୍ତି। ତେଣୁ ତାଙ୍କୁ ଟିକଟ୍ ଦେଲେ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି।

୨୦୧୪ରେ ଅନୁପ କଂଗ୍ରେସ କ୍ୟାମ୍ପ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ବ୍ରଜରାଜନଗର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ମଧ୍ୟ ନିର୍ବାଚନରେ ହାରିଥିଲେ। ସେପଟେ ନବ ଦାଶ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ପରେ ଝାରସୁଗୁଡ଼ା ଜିଲ୍ଲାରେ ଦଳୀୟ ସମୀକରଣ ବଦଳି ଯାଇଛି।

କୁହାଯାଉଛି, ନବ ବିଜେଡିକୁ ଆସିବା ପରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ମହାନ୍ତି ଏବେ ବ୍ରଜରାଜନଗରରୁ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ତେବେ ଆଜିର ଘଟଣା ନେଇ ଅନୁପଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ କିଶୋର ମହାନ୍ତି ପରୋକ୍ଷରେ ସ୍ଥାନୀୟ ନେତାଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି।

ତେବେ ଟିକଟ୍ କାଟିବା ପାଇଁ ଏହା ନବୀନଙ୍କ ସୁଚିନ୍ତିତ ରଣନୀତି ନା ୟା ପଛରେ ସ୍ଥାନୀୟ ଆଶାୟୀ ପ୍ରାର୍ଥୀଙ୍କ ହାତ ଅଛି ସେ ନେଇ ଏବେ ଚର୍ଚ୍ଚା ହେଉଛି। ତେବେ ଏ ସମସ୍ୟା କେବଳ ବ୍ରଜରାଜନଗରରେ ସୀମିତ ନାହିଁ। କେଉଁଠି ଏକାଧିକ ଆଶାୟୀ ଚାଲେଞ୍ଜ ତ ଆଉ କେଉଁଠି ବିଧାୟକଙ୍କ ବିରୋଧରେ ବଢୁଥିବା ଅସନ୍ତୋଷ ସମସ୍ୟା ବଢ଼ାଇଛି। ଆଉ କେଉଁଠି ଭିତିରି କନ୍ଦଳ ସ୍ଥିତିକୁ ଜଟିଳ କରିଛି।

ଯେପରିକି ଜଗତସିଂପୁର ଜିଲ୍ଲାରେ ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକ, ସୁନ୍ଦରଗଡ଼ରେ କୁଶମ ଟେଟେ ଓ ଯୋଗେଶ ସିଂ, ନୟାଗଡ଼ରେ ଅରୁଣ ସାହୁ ଓ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବେଗୁନିଆରେ ପ୍ରଶାନ୍ତ ଜଗଦେବ ଓ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ମଧ୍ୟରେ ବିବାଦ ଲାଗି ରହିଛି। ଯାହା ଦଳ ତଣ୍ଟିରେ କଣ୍ଟା ସାଜିଛି।

ଏଣେ ୧୯ ବର୍ଷ ସରକାରରେ ରହିବା ପରେ ଏବେ ରାଜ୍ୟରେ ସରକାର ବିରୋଧୀ ହାଓ୍ୱା ବୋହିଲାଣି। ତା’ ଭିତରେ ବିଜେଡି କିଭଳି ପ୍ରାର୍ଥୀ ଚୟନ କରି ଆଭ୍ୟନ୍ତରୀଣ ଅସନ୍ତୋଷକୁ ନିୟନ୍ତ୍ରିତ ରଖିପାରୁଛି, ତା ଉପରେ ନଜର।

You might also like