ବିଶେଷଜ୍ଞଙ୍କ ମତ: ଯେମିତି ବଢୁଛି, ସେମିତି କମିବ କରୋନା

ଭୁବନେଶ୍ୱର: ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ୍, ଛତିଶଗଡ଼ କରୋନା ପାଇଁ ଚାରିଆଡ଼େ ହାହାକାର। ସବୁଠି ଦୁର୍ଦ୍ଦଶାର ଦୟନୀୟ ଚିତ୍ର। କେଉଁଠି ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ବେଡ୍ ନାହିଁ। ଆକ୍ରାନ୍ତଙ୍କୁ ଧରି ଧାଡ଼ିରେ ଶହ ଶହ ଆମ୍ବୁଲାନ୍ସ ତ କେଉଁଠି ଶବ ପାଇଁ ଶ୍ମଶାନରେ ବି ଜାଗା ମିଳୁନି। ଆଉ ଏସବୁ ଭିତରେ ଭୟକୁ ଦ୍ୱିଗୁଣ କରି ଆଜି ଦେଶରେ ଦୁଇ ଲକ୍ଷ ଡେଇଁ ଯାଇଛି। ଦୈନିକ ସଂକ୍ରମଣ ଦୁଇଦିନ ଧରି ହଜାରେ ଉପରେ ବି ଦୈନିକ ମୃତ୍ୟୁର ଧାରା।

ସ୍ଥିତି ଅଣାୟତ୍ତ ହେଉଥିବାରୁ ଦିଲ୍ଲୀରେ ଆଜିଠୁ ସପ୍ତାହାନ୍ତ କର୍ଫ୍ୟୁ ଲାଗିଛି। କରୋନା ଚେନ୍‌ରେ ବ୍ରେକ୍ ଦେବାକୁ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସବୁ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ମଲ୍, ଜିମ୍, ସ୍ପା ଆଦିକୁ ବନ୍ଦ ରଖାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ଆଉ ଏପଟେ ପ୍ରଥମେ ନାଇଟ୍ କର୍ଫ୍ୟୁ ପରେ ସାରା ମହାରାଷ୍ଟ୍ରରେ ଗତକାଲିଠୁ ୧୫ ଦିନିଆ ୧୪୪ ଧାରା ଲାଗିଛି। ସହର ବଜାର, ଗଳି କନ୍ଦି ସବୁଠି କଡ଼ାକଡ଼ି ଚେକିଂ ଚାଲିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୮,୯୫୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ୨୭୮ଜଣଙ୍କ ଜୀବନ ଯାଇଛି। ସେହିପରି ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୭ ହଜାର ପାର୍ କରିଥିଲା ବେଲେ ଦିନକରେ ମୃତ୍ୟୁ ସଂଖ୍ୟା ବି ଶହେ ଡେଇଁଛି।

ତେବେ ହତାଶା ଭିତରେ ବି ଆସିଛି ଆଶ୍ୱସ୍ତିକର ଖବର। ଦ୍ୱିତୀୟ ଲହର ଯେତେ ବେଗରେ ମାଡୁଛି, ସମାନ ବେଗରେ କମିଯିବ ବୋଲି ଆଶା କରୁଛନ୍ତି ବିଶେଷଜ୍ଞ। ସେହିପରି ଦ୍ୱିତୀୟ ଲହରରେ ଆକ୍ରାନ୍ତ ରୋଗୀ ପ୍ରଥମ ଲହରଠାରୁ ଶୀଘ୍ର ସୁସ୍ଥ ହେଉଥିବା ନଜରକୁ ଆସିଛି। ଦିଲ୍ଲୀରେ ଆଗରୁ ସୁସ୍ଥତା ଲାଭ ଲାଗି ୭ ଦିନ ଲାଗୁଥିବା ବେଳେ ଏବେ ୩ ଦିନରେ ରୋଗୀ ସୁସ୍ଥ ହେଉଛନ୍ତି। ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସୁସ୍ଥତା ସମୟ ୧୪ରୁ ୧୦ ଦିନକୁ ଖସି ଆସିଥିବା ବେଳେ ଗୁଜରାଟରେ ୧୨ ଦିନ ପରିବର୍ତ୍ତେ ରୋଗୀ ୬ ଦିନରେ ସୁସ୍ଥ ହେଉଛନ୍ତି। ସେହିପରି ବିହାରରେ ମଧ୍ୟ ଆକ୍ରାନ୍ତ ୯ ଦିନ ପରିବର୍ତ୍ତେ ୭ ଦିନରେ ସୁସ୍ଥ ହେଉଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ସୁସ୍ଥତା ସମୟ ଆଗ ଭଳି ସେଇ ୮ ଦିନ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ଆକ୍ଟିଭ କେସ୍ ୧୪ ଲକ୍ଷ ୭୧ ହଜାର ଉପରେ ରହିଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩ ହଜାର ୧୨୩ରେ ପହଞ୍ଚିଛି। ଦେଶରେ ଏପର୍ଯ୍ୟନ୍ତ ୧୧ କୋଟି ୪୪ ଲକ୍ଷ ୯୩ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବାର ସୂଚନା ମିଳିଛି।

ରିପୋର୍ଟ- ଅର୍ଚ୍ଚନା ଶତପଥୀ
You might also like