ସ୍କୁଲ୍ ଖୋଲିଲେ କେମିତି ହେବ ପାଠପଢ଼ା ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ…
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ସ୍କୁଲ୍ ଖୋଲିବ ଓ ମେ’ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ତେବେ ସ୍କୁଲ୍ ଖୋଲିଲେ କେମିତି କେମିତି ପାଠପଢ଼ା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସନ ହେବ। ଏହି ସମୟରେ ସାନିଟାଇଜେସନ୍ ଓ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରାଥମିକତା ଦିଆଯିବ।
ଯେଉଁଠି ଶିକ୍ଷକଙ୍କ ଆବଶ୍ୟକତା ଥିବ ସେଠାରେ ଶିକ୍ଷକ ପୂରଣ ଲାଗି ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏନେଇ ସ୍ୱାସ୍ଥ୍ୟ ବିଭାଗ କହିଲେ କରିବୁ। ତେବେ ସିଲାବସ୍ ୩୦% କମିଛି, ଆଉ କମିବ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଜାନୁଆରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମେ’ ୩ରୁ ମାଟ୍ରିକ୍ ପରୀକ୍ଷା ଓ ମେ’ ୧୫ରୁ +୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିନିମନ୍ତେ କୋଭିଡ୍ ନିୟମ ପାଳନ କରି ସ୍କୁଲ୍, ହଷ୍ଟେଲ୍ ଆଦି ଖୋଲିବା ପାଇଁ SOP ଜାରି କରାଯାଇଛି। କିନ୍ତୁ ନିୟମାବଳୀରେ ଯାହା ସବୁ ନିଷ୍ପତ୍ତି ହୋଇଛି, ସେସମ୍ପର୍କରେ ତର୍ଜମା କଲା ପରେ ଓଷ୍ଟା କିଛି ପ୍ରସ୍ତାବ ସରକାରଙ୍କ ନିକଟରେ ରଖିଥିଲା।
ସ୍ୱଳ୍ପ ସମୟ ମଧ୍ୟରେ ପିଲାମାନଙ୍କୁ ମ୍ୟାଟ୍ରିକ୍ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ପାଇଁ ଶନିବାର ଓ ରବିବାର ମଧ୍ୟକୁ ଶିକ୍ଷାଦାନ ଦିବସରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯାହା ସମ୍ଭବପର ନୁହେଁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଥିଲା।
ଜାଣନ୍ତୁ କ’ଣ ରହିଛି ଗାଇଡ୍ଲାଇନ୍:-
- କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିପାରିବ।
- କଣ୍ଟେନମେଣ୍ଟ ଜୋନ୍ର କୌଣସି ଶିକ୍ଷକ, ପିଲା ସ୍କୁଲ ଆସିବା ମନା।
- କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ।
- ସ୍କୁଲ୍ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ।
- ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି।
- ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ସ୍କୁଲ୍ ଛାଡ଼ିବାକୁ ପରାମର୍ଶ।
- କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ।
- କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ।
- କ୍ଲାସ ରୁମ୍ରେ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡ଼ି ବସିବେ
ଆହୁରି ପଢନ୍ତୁ :