ଭୁବନେଶ୍ୱରରେ ଗର୍ଜୁଛନ୍ତି ଗୁରୁ, ପାଠପଢ଼ା ବ୍ୟାହତ

ଭୁବନେଶ୍ୱର: ସାରା ରାଜ୍ୟରେ ଅଗଷ୍ଟ ୧୬ରୁ କଲେଜ ଖୋଲିଲାଣି, ହେଲେ ଏଯାଏଁ ପଢ଼ା ଆରମ୍ଭ ହୋଇନି। କାରଣ ଦାବି ହାସଲ ପାଇଁ ଅଧ୍ୟାପକ, ଅଧ୍ୟାପିକା ଏବେ ଆନ୍ଦୋଳନରେ। ବ୍ଲକ୍‌ ଗ୍ରାଣ୍ଟ କଲେଜକୁ ପିଲାଏ ସବୁ ଦିନ ଆସୁଛନ୍ତି, ଆଉ କ୍ଲାସ୍ ନକରି ଘରକୁ ଫେରୁଛନ୍ତି। ସେହିପରି ହାଇସ୍କୁଲର  ଶିକ୍ଷକମାନେ ବି ପାଠ ପଢ଼ାଇବା ଛାଡ଼ି ସମସ୍ତେ ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଇଛନ୍ତି। ନବମ ଓ ଦଶମ ଶ୍ରେଣୀର ପିଲାଙ୍କ କ୍ଲାସ୍ ହେଉଛି ସତ, ହେଲେ ଅଧିକାଂଶ ସମୟରେ ଶିକ୍ଷକଙ୍କ ଚେୟାର ଖାଲି ପଡ଼ୁଛି। କିଛି ଦିନ ପରେ ପ୍ରିଟେଷ୍ଟ ପରୀକ୍ଷା ଥିବାରୁ  ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ। ରାଜ୍ୟର ପ୍ରାୟ ସମସ୍ତ ବ୍ଲକ୍ ଗ୍ରାଣ୍ଟ ସ୍କୁଲର ବର୍ତ୍ତମାନର ଦୃଶ୍ୟ ଉଣା ଅଧିକେ ସମାନ ରହିଛି।

୫ ଦିନ ହେଲାଣି ରାଜଧାନୀର ରାଜରାସ୍ତାରେ ଗର୍ଜୁଛନ୍ତି ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ। ୩ ମାସ ତଳର ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର ବିଫଳ ହେବା ଅଭିଯୋଗ କରି ପୁଣି ଅହୋରାତ୍ର ଧାରଣାକୁ ଓହ୍ଲାଇଛି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ସହ ଚାକିରୀ ସର୍ତ୍ତାବଳୀ ଦାବିରେ ହଜାର ହଜାର ସ୍କୁଲ-କଲେଜ ଶିକ୍ଷକ ଶିକ୍ଷା ଦାନ ଛାଡ଼ି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ରାଜ୍ୟର ୪ ହଜାର ବ୍ଲକ୍ ଗ୍ରାଣ୍ଟ ସ୍କୁଲ୍ ଓ ପ୍ରାୟ ୧୧ ଶହ ଜୁନିୟର ଏବଂ ଡିଗ୍ରୀ କଲେଜରେ ପାଠପଢ଼ା ଏକ ପ୍ରକାର ଠପ୍ ହୋଇଯାଇଛି।

ସେପଟେ ଆଜି ଧାରଣାସ୍ଥଳକୁ ବିଜେପିର ଏକ ଟିମ୍ ଯାଇ ଆନ୍ଦୋଳନରକାରୀଙ୍କ ସହ ଆଲୋଚନା କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନରେ ସରକାରଙ୍କୁ ଉଚିତ୍ ଶିକ୍ଷା ଦେବେ ବୋଲି କହିଛନ୍ତି ଶିକ୍ଷକ ନେତା। ସେପଟେ ୩ ଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଶିକ୍ଷକମାନେ ବାରମ୍ବାର ମତ ବଦଳାଉଛନ୍ତି। ତେବେ ବି ସରକାର ସେମାନଙ୍କ ଦାବି ଉପରେ ଅାଲୋଚନା କରିବେ। ଏବେ ଅପେକ୍ଷା କେବେ, ଅାନ୍ଦୋଳନରତ ଶିକ୍ଷକଙ୍କ ସହ ଅାଲୋଚନାକୁ ଅାସୁଛନ୍ତି ସରକାର।

You might also like