କରୋନା ଦୂର କରୁଛି କି ନାଲି ପିମ୍ପୁଡ଼ି ଚଟଣୀ ? କ’ଣ କହିଲେ ଡାକ୍ତର ଜାଣନ୍ତୁ

ଗଜପତି(ଆଦର୍ଶ ଦାସ): କରୋନା ଦୂର କରୁଛି କି ନାଲି ପିମ୍ପୁଡ଼ି ? କରୋନା ଚିକିତ୍ସାରେ ବ୍ୟବହାର ହେବ କି ଆଦିବାସୀଙ୍କ ଏହି ପାରମ୍ପରିକ ଖାଦ୍ୟ ? ଏନେଇ ହାଇକୋର୍ଟରେ ଆବେଦନ ହୋଇଥିବା ବେଳେ ୩ ମାସ ମଧ୍ୟରେ ନିଷ୍ପତି ନେବାକୁ ଆୟୁଷ ମନ୍ତ୍ରାଳୟ ଏବଂ ସିଏସଆଇଆରକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ବର୍ଷ ବର୍ଷ ଧରି ନାଲି ପିମ୍ପୁଡ଼ି ବା କାଇକୁ ଚଟଣୀ କରି ଖାଉଛନ୍ତି ଗଜପତି ଜିଲ୍ଲା ଗୁମା ବ୍ଳକ୍‌ର ଅନେକ ଆଦିବାସୀ ଗାଁ। କାରଣ କାଇରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଏମାନଙ୍କୁ ବିଭିନ୍ନ ରୋଗ ଠାରୁ ଦୂରେଇ ରଖିଛି ବୋଲି ବିଶ୍ୱାସ କରୁଛନ୍ତି ଗୁମା ବ୍ଲକ୍‌ର ଏହି ଆଦିବାସୀ ଗାଁର ଲୋକେ।

ଗଛରେ ପୁଳା ପୁଳା ହୋଇ ଲାଖି ରହିଥିବା ପିମ୍ପୁଡ଼ି କାହା ପାଇଁ ସାମାନ୍ୟ ପୋକ ହୋଇପାରେ, ହେଲେ ଆଦିବାସୀଙ୍କର ଏହା ଏକ ପାରମ୍ପରିକ ଖାଦ୍ୟ। ପିଲାଠୁ ବୁଢ଼ା, ସମସ୍ତଙ୍କ ଅତି ପ୍ରିୟ କାଇ ଚଟଣୀ।

ଏହି ଆଦିବାସୀମାନେ ପ୍ରଥମେ ଗଛ ଡାଳରେ ରହୁଥିବା ଶହ ଶହ ସଂଖ୍ୟାରେ କାଇକୁ ବାହାର କରିବା ପରେ ନିଆଁରେ ଗରମ କରିଦିଅନ୍ତି। ସେଥିରେ ପିଆଜ, ରସୁଣ, ଲୁଣ ଓ ଲଙ୍କା ଦେଇ ତିଆରି କରନ୍ତି କାଇ ଚଟଣୀ। ସେମାନଙ୍କ କହିବା କଥା, ପଖାଳ ଓ ମାଣ୍ଡିଆ ଜାଉ ସହ କାଇ ଚଟଣୀ, ଯିଏ ଖାଇଛି , ସିଏ ଜାଣିଛି ତାର ସ୍ୱାଦ। ତେବେ ସେମାନଙ୍କ ବିଶ୍ୱାସ ରହିଛି ଯେ କାଇରେ ଅନେକ ଔଷଧୀୟ ଗୁଣ ରହିଛି। କାଇ ଖାଇଲେ ଆଣ୍ଠୁଗଣ୍ଠି ବାତ ଦୂର ହୁଏ ଏବଂ ଦୃଷ୍ଟି ଶକ୍ତି ବଢ଼େ ବୋଲି ଏଠାକାର ଆଦିବାସୀମାନେ ଭାବିଥାନ୍ତି।

ସିପନୀ ଭୂୟାଁ ନାମକ ଜଣେ ଗ୍ରାମବାସୀ କୁହନ୍ତି “କାଇ ଖାଇଲେ ଦୃଷ୍ଟି ଶକ୍ତି ବଢ଼ୁଛି। ଏଥିରେ ସ୍ୱାସ୍ଥ ଭଲ ରହେ। ସାର ଜିନିଷ ଖାଇଲେ ଦେହ ଖରାପ କରେ।”

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଗୁମା ବ୍ଳକ୍‌ରେ ଏମିତି ଅନେକ ଗାଁ ରହିଛି। ଯେଉଁଠି ବର୍ଷ ବର୍ଷ ଧରି କାଇ ଚଟଣୀ ଆଦିବାସୀଙ୍କ ପସନ୍ଦର ଖାଦ୍ୟ ପାଲଟିଛି। ସାରା ବିଶ୍ୱ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହି ଅଂଚଳକୁ ମହାମାରୀ ଭୂତାଣୁ ଛୁଇଁ ନଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ସେମାନଙ୍କ ମତରେ କାଇର ଔଷଧୀୟ ଗୁଣ ଯୋଗୁଁ ହିଁ କରୋନା ସେମାନଙ୍କ ପାଖ ମାଡ଼ି ପାରିନାହିଁ।

ତେବେ ଡାକ୍ତର କହିଛନ୍ତି, କାଇରେ ଔଷଧୀୟ ଗୁଣ ଥିବା ନେଇ ସ୍ୱାସ୍ଥ୍ୟ ବିଜ୍ଞାନ କିମ୍ବା ବହିରେ କିଛି ବି ଉଲ୍ଲେଖ ନାହିଁ। କାଇ ଏକ ଅଖାଦ୍ୟ। ଯାହାକୁ ଖାଇଲେ ପେଟ ରୋଗ ହେବାର ବି ଯଥେଷ୍ଟ ସମ୍ଭାବନା ରହିଛି।

ଏନେଇ ଡାକ୍ତର ସୁରେନ୍ଦ୍ର କୁମାର ରଥ କହିଛନ୍ତି “ପୁର ପଲ୍ଲୀ କିମ୍ବା ଆଦିବାସୀ ଅଞ୍ଚଳର ଏନେଇ ଅନ୍ଧବିଶ୍ୱାସ ରହିଛି। କିନ୍ତୁ ବିଜ୍ଞାନ ଦୃଷ୍ଟିରୁ ଦେଖିଲେ ଏନେଇ କୌଣସି ପ୍ରମାଣ ନାହିଁଁ। କାଇ ଖାଇଲେ କରୋନା ରହିବନି ଏନେଇ ବି କୌଣସି ପ୍ରମାଣ ନାହିଁ”

ସତରେ, କରୋନା ଦୂର କରୁଛି କି ନାଲି ପିମ୍ପୁଡ଼ି ଚଟଣୀ? ମହାମାରୀ ଦୂର ପାଇଁ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ନାଲି ପିମ୍ପୁଡ଼ିର ଔଷଧୀୟ ଗୁଣକୁ କରୋନା ଚିକିତ୍ସାରେ ବ୍ୟବହାର କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା। ଏହା ଉପରେ ଶୁଣାଣି କରି କୋର୍ଟ, ଆୟୁଷ ମନ୍ତ୍ରାଳୟ ଏବଂ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ନିର୍ଦ୍ଦେଶକଙ୍କୁ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ।

You might also like