କାର୍ ଭିତରୁ କଙ୍କାଳ ମିଳିବା ଘଟଣା: ଆସିଲା ମହିଳାଙ୍କ ସ୍କେଚ୍

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ ଏକ ଜବତ କାର୍ ଭିତରୁ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହାପରେ କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ହସ୍ତଗତ ହୋଇଛି। ବେଙ୍ଗାଲୁରର ବିଶେଷଜ୍ଞଙ୍କ ଦ୍ୱାରା ମହିଳାଙ୍କ ସ୍କେଚ୍ ଅଙ୍କା ଯାଇଛି। ଏହି ସ୍କେଚ୍‌କୁ ଦେଖି ମହିଳାଙ୍କ ପରିଚୟ ହାସଲ ଲାଗି ପୋଲିସ୍ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

କଙ୍କାଳ ଚିହ୍ନଟ ଲାଗି ସ୍କେଚ୍ ସମ୍ପର୍କରେ ଡିସିପି ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି, ମୃତ ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ ହେବ ବୋଲି ଡାକ୍ତର ଆକଳନ କରିଛନ୍ତି। ମହିଳାଙ୍କ ଉଚ୍ଚତା ୧୬୪ ସେ.ମି. ଓ ସେ ଯକ୍ଷ୍ମାରେ ଆକ୍ରାନ୍ତ ଥିଲେ। ଫେବୃଆରୀ ୧୨ରେ କଙ୍କାଳ ଠାବ କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ, କଙ୍କାଳ ଠାବ ହେବାର ୩ରୁ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥାଇପାରେ। ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ହୁଏତ ମୃତ୍ୟୁ ହୋଇଥାଇପାରେ। ସେତେବେଳେ କେହି ମହିଳା ନିଖୋଜ ଥିଲେ ଆମକୁ ଜଣାଇ ପାରିବେ। ମୃତ୍ୟୁ ଦେଢ଼ ମାସ ପୂର୍ବରୁ ମହିଳାଙ୍କ ଗୋଡ଼, ହାତ ହାଡ଼ରେ ଆଘାତ ଥିଲା।
ନଖ ବି ଠିକ୍‌ ଭାବେ କଟା ଯାଇନଥିଲା। ଯାହା ଡାକ୍ତର ରିପୋର୍ଟ ଦେଇଛନ୍ତି। ମୁହଁରେ ଚର୍ମ ନ ଥିବାରୁ କେବଳ କଙ୍କାଳ ଦେଖି ସ୍କେଚ୍ କରା ଯାଇଛି। ତେଣୁ ସ୍କେଚ୍ ଶତ ପ୍ରତିଶତ ମ୍ୟାଚ୍ କରି ନପାରେ। କିନ୍ତୁ ସୁରାକ୍‌ ଦେଇପାରିବ।

ମହିଳାଙ୍କ କଙ୍କାଳ ଚିହ୍ନିବା ପାଇଁ ଡିଏନ୍‌ଏ ଟେଷ୍ଟ୍‌ ପାଇଁ ପଠା ଯାଇଥିଲା। ଶରୀରର ଅଂଶବିଶେଷ ସଂଗ୍ରହ କରାଯାଇ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯାଇଥିଲା। ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାର ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି।

୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ପୋଲିସ୍ ଏକ‌ ମହିନ୍ଦ୍ରା କାର୍‌ ଜବତ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ତେବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଗାଡ଼ି ଭିତରୁ କିଛିଦିନ ତଳେ କଙ୍କାଳ ଉଦ୍ଧାର ହୋଇଥିଲା। ପରେ ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା, ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ। ଅନ୍ୟପକ୍ଷରେ, ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

You might also like