କାର୍ ଭିତରୁ କଙ୍କାଳ ମିଳିବା ଘଟଣା: ପୋଲିସ୍‌ ହାତରେ ଲାଗିଲା ସୁରାକ୍‌ !

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡିରେ ଜବତ ଗାଡ଼ି ଭିତରୁ କଙ୍କାଳ ମିଳିବା ଘଟଣାରେ ପୋଲିସ୍‌ ହାତରେ କିଛି ସୁରାକ୍‌ ଲାଗିଛି। ଲୋକଙ୍କ ନିକଟରୁ ପୋଲିସ୍‌କୁ କିଛି ସୁରାକ୍ ମିଳିଥିବା ସୂଚନା ମିଳିଛି। ସୁରାକ୍‌ ଆଧାରରେ ଏକ ନିର୍ଦ୍ଦିଷ୍ଟ ପରିବାରର DNA ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। କିନ୍ତୁ ସମ୍ପୃକ୍ତ ପରିବାର ସହ କଙ୍କାଳର ସମ୍ପର୍କ ରହିଛି କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

କଙ୍କାଳ ମିଳିବା ଘଟଣାରେ ଜାତୀୟ ମାନବାଧିକାର କମିଶନ(NHRC )ହସ୍ତକ୍ଷେପ କରିଛନ୍ତି। ଏନେଇ ପୋଲିସ୍ ଡିଜିଙ୍କୁ ନୋଟିସ୍ ଜାତୀୟ ମାନବାଧିକାର କମିଶନ ଜାରି କରିଛନ୍ତି। ୮ ସପ୍ତାହ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ତଦନ୍ତରେ ଅବହେଳା ଦର୍ଶାଇ ଜଣେ ମାନବାଧିକାର କର୍ମୀ NHRC ଯାଇଥିଲେ।

ମହିଳାଙ୍କ ପରିଚୟ ଜାଣିବାକୁ ପୋଲିସ ସ୍କେଚ୍ ଜାରି କରିଥିଲା। କିଛି ଦିନ ତଳେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ପୋଲିସ୍ ଏକ‌ ମହିନ୍ଦ୍ରା କାର୍‌ ଜବତ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ତେବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଗାଡ଼ି ଭିତରୁ କିଛିଦିନ ତଳେ କଙ୍କାଳ ଉଦ୍ଧାର ହୋଇଥିଲା। ପରେ ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା, ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ।

You might also like