ଚଳିତ ବିଧାନସଭାରେ ରହିବ ପ୍ରଶ୍ନକାଳ: ପଢନ୍ତୁ ସଂକ୍ଷେପରେ କିଛି ଗୁରୁତ୍ୱପୂର୍ଣ୍ଣ ଖବର

୧୮ ରୁ ବିଧାନସଭା

ଭୁବନେଶ୍ୱର: ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। କରୋନା ସଂକ୍ରମଣ କମିଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ ବୋଲି ଜଣାପଡ଼ିଛି। ଚଳିତ ଥର ପ୍ରଶ୍ନକାଳ ମଧ୍ୟ ରହିବ ବୋଲି ଜଣାଯାଇଛି। ଏଥର ୩୧ଟି କାର୍ଯ୍ୟଦିବସ ରହିଛି। ତେବେ ୨୨ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରାଯିବ। ୨୫ରେ ବଜେଟ ଉପରେ ଆଲୋଚନା ହେବ। ବିଧାନସଭାରେ କୋଭିଡ୍ କଟକଣା ଜାରି ରହିବ। ପ୍ରତିଦିନ ବିଧାନସଭା ସାନିଟାଇଜ୍ କରାଯିବ ଆଉ ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ ଭିଡିଓ କନ୍ଫରେନ୍ସିଂରେ ଭାଗନେଇପାରିବେ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

କଟକ ଖାନନଗର ବସ୍ ଟର୍ମିନାଲ ନିର୍ମାଣ ମାମଲା ଖାନନଗର କାଳୀ ମନ୍ଦିର ସଂପତ୍ତିର ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ରାୟ ଦେଇଛନ୍ତି। ସ୍ଥାବର, ଅସ୍ଥାବର ସଂପତ୍ତିର ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ କହିଛନ୍ତି। ଖାନନଗରର ବସ୍ ଟର୍ମିନାଲ ହେବା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଭୂମି ପୂଜନ ପରେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ତେବେ ବସ୍ ଟର୍ମିନାଲ ହେଲେ କାଳୀ ମନ୍ଦିରର ସଂପତ୍ତି କ୍ଷତିଗ୍ରସ୍ତ ହେବା ଆଶଙ୍କା କରି କିଛି ସ୍ଥାନୀୟ ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆଜି ଏହାର ଶୁଣାଣି କରି ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏମିତି ବି ଆସେ ମୃତ୍ୟୁ ! ଟିକିଏ ଅସାବଧାନତାରୁ ଚାଲିଗଲା ଜୀବନ। ଲେବଲ୍ କ୍ରସିଂ ପାର୍ ବେଳେ ମୋବାଇଲ୍ ଫୋନରେ କଥା ହେବା ପଡ଼ିଛି ମହଙ୍ଗା। ଏମିତିକି ଜୀବନ ଚାଲି ଯାଇଥିବା ଜଣାଯାଇଛି। କଟକ ଶିଖରପୁର ଲେବଲକ୍ରସିଂ ପାର୍ ବେଳେ ଘଟିଛି ଏମିତି ଅଘଟଣ। ଜଣେ ଯୁବକଙ୍କୁ ଧକ୍କା ଦେଇଛି ଟ୍ରେନ୍। ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି।

ଟ୍ରେନ୍ ଲାଇନ୍ କଡ଼ରେ ଯୁବକଙ୍କ ମୃତଦେହ ପଡ଼ି ରହିଛି। ମିଳିଥିବା ସୂଚନା ମୁତାବକ ଯୁବକ ଜଣକ ମୋବାଇଲରେ ଇୟରଫୋନ୍ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ପୋଲିସ୍ ପହଞ୍ଚି ମାମଲାର ତଦନ୍ତ ପରେ ପୁରା ଘଟଣା ସମ୍ପର୍କରେ ଜଣାପଡ଼ିବ।

ଟୋକନ୍ ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ। ମାଲକାନଗିରି କୋରକୋଣ୍ଡାରେ ରାସ୍ତାରୋକ କରିଛନ୍ତି। ଟୋକନ୍ ଥିବା ସତ୍ତ୍ୱେ ମଣ୍ଡିରେ ଫସଲ ବିକ୍ରି ହୋଇ ନପାରିବାରୁ ଚାଷୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖାଦେଇଛି।  ଯାହାକୁ ନେଇ ଆଜି ଶହ ଶହ ଧାନ ବସ୍ତା ରଖି ରାସ୍ତା ଉପରେ ଧାରଣା ଦେଇଛନ୍ତି ଚାଷୀ। ସମସ୍ୟାର ସମାଧାନ ନହେବା ଯାଏଁ ଆନ୍ଦୋଳନରୁ ଉଠିବେନି ବୋଲି ଚେତାବନୀ ଦେଇଛନ୍ତି ଚାଷୀ। ଫଳରେ ମାଲକାନଗିରି-ବାଲିମେଳକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି।

କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଆରମ୍ଭ ହୋଇଛି ତଦନ୍ତ। ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ଡେପୁଟି ଫାଏର ଅଧିକାର। ନିଆଁ କିପରି ଲାଗିଲା ? ଅଗ୍ନିକାଣ୍ଡର ଅସଲ କାରଣ କଣ ? ସେ ସବୁ ଦିଗର ଖୋଳତାଡ଼ ହୋଇପାରେ। ଗତକାଲି କଟକ ବିଜୁପଟ୍ଟନାୟକ ଛକ ନିକଟରେ ଥିବା ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଥିଲା। ଯେଉଁଥିରେ ହସ୍ପିଟାଲରେ ୫ମ ମହଲା କୋଠାରେ ଅଗ୍ନିକାଣ୍ଡ ହୋଇଛି।

ବଲାଙ୍ଗିରରେ ମାଓ-ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବେଲପଡ଼ା ସଂରକ୍ଷିତ ଜଙ୍ଗଲରେ ଏସ୍ଓଜି-ଭିଭିଏଫରେ ମିଳିତ ଟିମ୍ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଜଙ୍ଗଲରେ ଲୁଚି ରହିଥିବା ୧୦ରୁ ୧୫ ମାଓବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଏନେଇ ଖବର ପାଇବା ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳିମାଡ଼ ହୋଇଥିଲେ ମଧ୍ୟ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି। ପୋଲିସ ଟିମର ଅପରେସନ ସତ୍ତ୍ୱେ ଘଞ୍ଚ ଜଙ୍ଗଲରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ମାଓବାଦୀ। ଅପରେସନ ଚାଲିଥିବା ସ୍ଥାନରେ ଥିବା ମାଓ କ୍ୟାମ୍ପରୁ ୨ ଟି ବନ୍ଧୁକ, ୩ଟି ରେଡିଓ, ସୋଲାର ଲାଇଟ୍ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ କରିଛି ପୋଲିସ।

You might also like