ବିଧାନସଭା ଇତିହାସରେ ‘ଚପଲ ଫିଙ୍ଗା’ ପ୍ରଥମ ଘଟଣା ନୁହେଁ !

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଜେପିର ଏହି ତିନି ଜଣ ବିଧାୟକଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ୍ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଚଳିତ ଅଧିବେଶନ ସରିବା ପର୍ଯ୍ୟନ୍ତ ଏହି ବିଧାୟକମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ। ଏମାନଙ୍କ ବିରୋଧରେ ଅଭିଯୋଗ ହେଉଛି, ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ୍ ସହ ଡଷ୍ଟବିନ୍, କାଗଜ ଏବଂ ଇୟରଫୋନ୍ ଫିଙ୍ଗିବା।  ସସ୍‌ପେଣ୍ଡ ନେଇ ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ପରେ ଏହାର ପ୍ରତିବାଦ କରି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ। ସିଧାସଳଖ ବାଚସ୍ପତିଙ୍କୁ ଟାର୍ଗେଟ୍ କରିବା ସହ ବାଚସ୍ପତି ଅଗଣତାନ୍ତ୍ରିକ କାର୍ଯ୍ୟ ସହ ପକ୍ଷପାତିତା କରୁଥିବା, ଅନ୍ୟ କାହାଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ ଆଣିଥିଲେ। ଏପରିକି ମୋହନ ମାଝୀ ବାଚସ୍ପତିଙ୍କ ଉପରକୁ କିଛି ବି ଫିଙ୍ଗି ନଥିବା କହିଛନ୍ତି।

ମନଇଚ୍ଛାରେ ଯେତେବେଳେ ବିଧାନସଭା ଚଳାଇବାକୁ ଚାହିଁଲେ, ସେତେବେଳେ ଏ ପ୍ରତିବାଦର ସ୍ୱର ଆସିଲା। ଅତ୍ୟାଚାର, ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଯଦି ସସ୍‌ପେଣ୍ଡ କରାଯାଏ, ଏଭଳି ନିଲମ୍ବନକୁ ମୁଁ ସ୍ୱାଗତ କରୁଛି।
ଜୟନାରାୟଣ ମିଶ୍ର, ବିଜେପି ବିଧାୟକ 
କିଛି ଅନୈତିକ କାମ ମୁଁ କରିନାହିଁ। ବାଚସ୍ପତି ଯାହା କରିଛନ୍ତି, ତାହା ଗଣତନ୍ତ୍ର ବିରୋଧୀ। ଏହା ଏକ କଳା ଦିବସ ସୃଷ୍ଟି କରିଛନ୍ତି।
ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ
ବିଲ୍‌ ପାରିତ ହେବା ବେଳେ ବିରୋଧୀ ଦଳ ନେତାକୁ କହିବାର ସୁଯୋଗ ମିଳିଲାନି। ବିରୋଧୀଙ୍କ କଥାକୁ ଶୁଣିଲେ ନାହିଁ। ଏଥିରେ ବିଧାୟକମାନେ ରାଗିଯାଇଥିଲେ। ଫଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା

ଖଣି ବ୍ୟବସାୟ ନିୟନ୍ତ୍ରଣ କରୁଛି ରାଜ୍ୟ ରାଜନୀତି ଶୀର୍ଷକରେ ଆଜି ଗୃହରେ ପ୍ରଥମେ ମୁଲତବୀ ପ୍ରସ୍ତାବ ଆଣିଥିଲା କଂଗ୍ରେସ। କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ। ଏପରିକି ଧାନକିଣା ପ୍ରସଙ୍ଗକୁ ବିରୋଧୀ ଉଠାଇବାକୁ ଚାହୁଁଥିଲେ ବି ଆଲୋଚନା ହୋଇପାରିନଥିଲା। ସେହିପରି ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ମିଳିନଥିଲା। ଯାହାକୁ ବିରୋଧ କରି ଉଭୟ କଂଗ୍ରେସ ଓ ବିଜେପି ଗୃହ ଭିତରେ ପ୍ରବଳ ହଟ୍ଟଗୋଳ ଜାରି ରଖିଥିବାବେଳେ ଉପସ୍ଥାପିତ ହୋଇଥିଲା ସିଏଜି ରିପୋର୍ଟ। ତା ସହିତ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ସମେତ ୩ଟି ବିଲ୍ ବି ପାରିତ ହୋଇଥିଲା। ଗୃହ ସ୍ୱାଭାବିକ ସ୍ଥିତିରେ ନଥିଲାବେଳେ ବିଲ୍ ପାସ୍‌କୁ ବିରୋଧ କରିଥିଲେ ବିଜେପି ଓ କଂଗ୍ରେସ୍।

ଠିକ୍ ଏହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ବିରୋଧୀ ଚପଲ୍ ସହ ଡଷ୍ଟବିନ୍, କାଗଜ ଏବଂ ଇୟରଫୋନ୍ ଫିଙ୍ଗିଥିଲେ। ଏହି ଘଟଣା ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ଅପରାହ୍ଣ ଅଧିବେଶନ ଆରମ୍ଭ ହେବା ପରେ ଶାସକ ଦଳର ଅଧିକାଂଶ ସଦସ୍ୟ ଏଭଳି ଆଚରଣ ପାଇଁ  କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରେ ବାଚସ୍ପତି ଭିଡ଼ିଓ ଫୁଟେଜ ମଗାଇ ତର୍ଜମା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ନିଜ ଚାମ୍ବରକୁ ଡାକି ଭିଡ଼ିଓ ଫୁଟେଜ ଦେଖାଇଥିଲେ। ଏହାପରେ ବିଜେପିର ଏହି ୩ ବିଧାୟକଙ୍କୁ ନିଲମ୍ବନ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ସଂକଳ୍ପ ଆଣିବା ପରେ ସେମାନଙ୍କୁ ଚଳିତ ଅଧିବେଶନରୁ ବାଚସ୍ପତି ନିଲମ୍ବନ କରିଥିଲେ।

ବିଧାନସଭା ଇତିହାସରେ ଚପଲ ଫିଙ୍ଗାର ଏହା ପ୍ରଥମ ଘଟଣା ନୁହେଁ, ନଭେମ୍ବର ୨, ୨୦୦୪ ମସିହାରେ ମଧ୍ୟ ସେତେବେଳେର ବ୍ରଜରାଜନଗରର କଂଗ୍ରେସ ବିଧାୟକ ଅନୁପ ସାଏ ବିଧାନସଭା ଗୃହ ମଧ୍ୟରେ ଗ୍ୟାଲେରୀରେ ଉପସ୍ଥିତି ସୁରକ୍ଷାକର୍ମୀଙ୍କ ଆଡ଼କୁ ଲକ୍ଷ୍ୟ କରି ଚପଲ ଫିଙ୍ଗି ଥିଲେ। ସେତେବେଳେ ବି ତାଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

ରିପୋର୍ଟ: ହରିହର ଚାନ୍ଦ

You might also like